LatestNews

ବାଲେଶ୍ବରରେ ସୋମବାର ସକାଳୁ ଆରମ୍ଭ ହେବ ମୋବାଇଲ ଇଣ୍ଟରନେଟ ସେବା

ବାଲେଶ୍ବର (ସଂକେତ ଟିଭି): ଧୀରେ ଧୀରେ ସ୍ୱାଭାବିକ ହେଉଛି ବାଲେଶ୍ବର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ । ତେବେ ଆସନ୍ତା କାଲି ବାଲେଶ୍ବର ସହରରେ ମୋବାଇଲ ଇଣ୍ଟରନେଟ ସେବା ଆରମ୍ବ ହେବ ବୋଲି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।

ସେହିପରି ଗତକାଲି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ଏଥିସହ ଟାଉନ ଥାନା ଅଞ୍ଚଳରେ ପୂର୍ବପରି ସକାଳ ୫ରୁ ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । ସେହିପରି ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିଲା। ତାହା ଆସନ୍ତା କାଲି ମଧ୍ଯ ବଳବତ୍ତର ରହିବ । ଶନିବାରଠାରୁ ଲ୍ୟାଣ୍ଡଲାଇନ୍‌ ଜରିଆରେ ବ୍ରଡ୍‌ବ୍ୟାଣ୍ଡ, ୱାଇଫାଇ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ସେବା ସୋମବାର ସକାଳଠାରୁ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ମୋବାଇଲ ଜରିଆରେ ଗୁଜବ ପ୍ରଚାର ନ କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ସୋମବାରଠାରୁ ବାଲେଶ୍ବରରେ ସ୍କୁଲ କଲେଜ ଖୋଲିବ । ହେଲେ ବାଲେଶ୍ବର ଟାଉନଥାନା ଅଂଚଳରେ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାଲେଶ୍ବର ଗୋଷ୍ଠୀ ସଂଘର୍ଷ ଘଟଣାରେ 21ଟି ମାମଲା ରୁଜୁ ହେବା ସହିତ ସମୁଦାୟ 89 ଲୋକଙ୍କୁ ଗିରଫ କରାଯାଇଛି ବୋଲି ବାଲେଶ୍ବର ଏସପି ସାଗରିକା ନାଥ କହିଛନ୍ତି । ସେହିପରି ମୋବାଇଲରେ ଫେକ୍ ନ୍ୟୁଜ୍ ପ୍ରସାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।