FeaturedLatestNewsPolitics

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ (ସଂକେତ ଟିଭି): ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ଭର୍ତ୍ତୃହରି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି।

ଆଜି ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଆସନ୍ତାକାଲି ମଧ୍ୟ ଏହି ଶପଥ ଗ୍ରହଣ ପ୍ରକ୍ରିୟା ଜାରି ରହିବ । 26ତାରିଖରେ ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଦାୟିତ୍ବରୁ ଅବ୍ୟାହତି ନେବେ । 28 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହା ପରଦିନ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଉଭୟ ଶାସକ ଓ ବିରୋଧୀ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରିବେ ।