FeaturedLatestNews

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ମାଲକାନଗିରି ଏବଂ କୋରାପୁଟ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏଥିପାଇଁ ମାଲକାନଗିରି ଓ କୋରାପୁଟରେ ଅତିପ୍ରବଳ ବର୍ଷା ସହ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ।

୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ଅନେକ ଜିଲ୍ଲାରେ ନିଅଁଣ୍ଟିଆ ବର୍ଷା ଦେଖାଦେଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ବଲାଙ୍ଗୀରରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି।