ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦରର ଛାତ, ଜଣେ ମୃତ, ୬ ଗୁରୁତର
ନୂଆଦିଲ୍ଲୀ (ସଂକେତ ଟିଭି): ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-1ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ବହୁ ସଂଖ୍ଯାରେ ଗାଡି ଛାତ ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ, ଆଜି (ଶୁକ୍ରବାର) ସକାଳ ପାଖାପାଖି ୫.୩୦ ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିଟାଲ-୧ ର ଛାତର କିଛି ଅଂଶ ଭୁଶୁଡି ପଡିଥିଲା । ଫଳରେ ତଳେ ଛିଡା ହୋଇଥିବା ପାଖାପାଖି ୬ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଗାଡି ମଧ୍ୟ ଛାତ ତଳେ ଚାପି ହୋଇ ରହିଛି । ଅନ୍ୟପଟେ ଏନେଇ ଖବର ପାଇବା ପରେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ଏଥିଯୋଗୁଁ ଇଣ୍ଡିଗୋ, ସ୍ପାଇସଜେଟ ପକ୍ଷରୁ ବିମାନ ସେବା ସାମୟିକ ସମୟ ପାଇ ବାତିଲ କରାଯାଇଛି । ଟର୍ମିନାଲ-୧ରେ ଅଘଟଣ ପରେ ବିମାନ ଉଡାଣ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରାଯାଇଛି । ଟର୍ମିନାଲ-୧ କ୍ଷତିଗ୍ରସ୍ତ ହେବା କାରଣରୁ ଯାତ୍ରୀମାନେ ଟର୍ମିନାଲରେ ପ୍ରବେଶ କରିପାରୁନଥିବାରୁ ଦିଲ୍ଲୀରେ ବିମାନ ଉଡାଣ ସେବା ରଦ୍ଦ କରାଯାଇଛି । ଟର୍ମିନାଲ ଭିତରେ ପୂର୍ବରୁ ଥିବା ଯାତ୍ରୀମାନେ ଉଡାଣ ଭରିପାରିବେ । ତେବେ ବିମାନବନ୍ଦରକୁ ଆସିବା ପୂର୍ବରୁ ସ୍ଥିତି ଯାଞ୍ଚ କରିନେବାକୁ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।