ରାହୁଲ ଗାନ୍ଧୀଙ୍କୁ ଆଉ କେହି ଡାକିବେନି ‘ପପୁ’ : ଶରଦ ପାଓ୍ବାର
ମୁମ୍ବାଇ (ସଂକେତ ଟିଭି): ୨୦୨୪ ନିର୍ବାଚନ ଫଳାଫଳ ଦେଖିବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ଆଉ କେହି ‘ପପୁ’ ବୋଲି ଡାକିବେ ନାହିଁ। ଏନସିପି ଶରଦ ଦଳ ମୁଖ୍ୟ ଶରଦ ପାୱାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏହା କହିଛନ୍ତି ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶରଦ କହିଛନ୍ତି, ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବା ଏକ ଭଲ ସଙ୍କେତ। ତାଙ୍କ ଦଳର ଶକ୍ତି ଅଧିକ ରହିଛି। ରାହୁଲ ଗାନ୍ଧୀଙ୍କୁ ଯୁବ ପିଢ଼ିର ପ୍ରତିନିଧୀ କରାଯାଇଛି। ପ୍ରାୟ ୫୪ ବର୍ଷିୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଯାହା ବି ପ୍ରଚାର କରାଯାଇଥିଲା ତାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା। ଏବେ ଏହି ନିର୍ବାଚନର ଫଳାଫଳ ପରେ କେହି ତାଙ୍କୁ ‘ପପୁ’ ବୋଲି କହି ପାରିବେ ନାହିଁ। ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି।
୨୦୨୪ ନିର୍ବାଚନରେ ଯଦିଓ ଏହା କଂଗ୍ରେସର କ୍ରମାଗତ ତୃତୀୟ ପରାଜୟ, ସମଗ୍ର ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମିଳିତ ମଞ୍ଚ ବିଜେପି ସହ କଡ଼ା ମୁକାବିଲା କରି ୨୩୪ଟି ସିଟ୍ ଜିତିଛି। ବିଜେପି ୨୪୦ ସିଟ୍ ଜିତିଛି ଏବଂ ଏନଡିଏ ୨୯୨ ସିଟ୍ ଦଖଲ କରି କ୍ଷମତାକୁ ଆସିଛି।
ଏହି ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନ ମଧ୍ୟରୁ ମହା ବିକାଶ ଅଘାଡି (ଏମଭିଏ), ଶିବସେନା ୟୁବିଟି, ଏନସିପି (ଶରଦ ପାୱାର ଏବଂ କଂଗ୍ରେସ ମିଳିତ ମଞ୍ଚ ୩୦ଟି ଆସନ ଜିତିଥିବାବେଳେ ବିଜେପିର ମହାସଂଘ, ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ନେତୃତ୍ୱରେ ଏନଡିଏ ୧୭ଟି ଆସନ ଜିତିଥିଲା।