FeaturedLatestSports

ବିଶ୍ବ ଚାମ୍ପିଅନ ହେବା ପରେ ପିଚ୍‌ର ମାଟି ଖାଇଲେ ରୋହିତ ଶର୍ମା

ବାର୍ବାଡୋସ (ସଂକେତ ଟିଭି): ଟି-୨୦ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବା ପରେ ରୋହିତ ଶର୍ମାଙ୍କ ଆଖିରେ ଖୁସିର ଲୁହ ଦୃଶ୍ୟମାନ ହୋଇଥିଲା । ଆଇସିସି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ, ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଅଧିନାୟକ ରୋହିତ ଶର୍ମା ବାର୍ବାଡୋସ ପିଚରୁ ମାଟି ଉଠାଇ ଏହାକୁ ଖାଇବା ଆରମ୍ଭ କରିଥିଲେ। ଏହାପରେ ସେ ମୁଣ୍ଡିଆ ମାରିଛନ୍ତି। ରୋହିତଙ୍କ ଏହି ନିଆରେ ଅନ୍ଦାଜର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରୋହିତ ଶର୍ମାଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବେଳର ମୁହୂର୍ତ୍ତ ମନେ ପଡିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚ ଶେଷ ହେବା ପରେ ସଚିନ୍‌ ପିଚକୁ ଯାଇ ପ୍ରଣାମ କରିଥିଲେ।

ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, ‘ମୁଁ ବର୍ତ୍ତମାନ କହିପାରୁ ନାହିଁ ଯେ ଏହି ସମୟରେ ମୁଁ କିପରି ଅନୁଭବ କରୁଛି। ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ । ରାତିରେ ମତେ ନିଦ ହେବନି। ମୁଁ ଯେକୌଣସି ମୂଲ୍ୟରେ ଜିତିବାକୁ ଚାହୁଁଥିଲି । ଗତ ତିନି-ଚାରି ବର୍ଷ ମଧ୍ୟରେ ଆମେ କେତେ ପରିଶ୍ରମ କରିଛୁ ତାହା କହିବା କଷ୍ଟକର । ଏହା କେବଳ ଆଜିର ବିଷୟ ନୁହେଁ, ଏହା ପଛରେ ତିନି-ଚାରି ବର୍ଷର କଠିନ ପରିଶ୍ରମ ରହିଛି। ‘ ରୋହିତ ଶର୍ମା କହିଛନ୍ତି, ‘ଆମେ ଅନେକ ଚାପ ପୂର୍ଣ୍ଣ ମ୍ୟାଚରେ ଜିତିଛୁ। ଖେଳାଳିମାନେ ଚାପରେ କଣ କରିବେ ଜାଣନ୍ତି ଏବଂ ଆଜି ଏହାର ଏକ ପ୍ରକୃଷ୍ଟ ଉଦାହରଣ ।