LatestNews

ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ଶୁଣାଣି

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି ।

ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସୋମବାର ଦିନ ଏହି ଶୁଣାଣି ହେବ ବୋଲି ସୂଚନା ରହିଛି । ଦିନ 9ଟାରୁ 12ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରି ଉପସ୍ଥିତ ରହିବାକୁ ପୂର୍ବରୁ କୁହାଯାଇଛି । ସେହିପରି ଜିଲ୍ଲାପାଳଙ୍କୁ ମଧ୍ୟ ଜିଲ୍ଲା ସ୍ତରରେ ପ୍ରତ୍ୟେକ ସୋମବାର ଦିନ ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ସୋସିଆଲ ପ୍ଲାଟଫର୍ମରେ ଟ୍ୱିଟ କରି ଲେଖିଛନ୍ତି, ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଗଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସିଥିଲେ । ଲୋକଙ୍କ ସରକାରରେ ଆଜିଠାରୁ ଲୋକଙ୍କ ପାଇଁ ଖୋଲା ରହିବ ଅଭିଯୋଗ ପ୍ରକୋଷ୍ଠ, ଲୋକେ ସିଧାସଳଖ ଆସି ମୋ ସହ ଭେଟି ନିଜର ସମସ୍ଯା ଜଣାଇପାରିବେ । ଆଜିର ଏହି ଶୁଣାଣି ସମୟରେ ମୁଖ୍ଯମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ।