FeaturedGeneralLatest

ଉତ୍ତରପ୍ରଦେଶ ହାଥରସରେ ସତ୍‌ସଙ୍ଗରେ ଦଳାଚକଟା: ୧୩୦ ଟପିଲା ମୃତ୍ୟୁ ସଂଖ୍ୟା

ଲକ୍ଷ୍ନୌ (ସଂକେତ ଟିଭି): ଉତ୍ତରପ୍ରଦେଶର ହାଥରସରେ ଆଜି (ମଙ୍ଗଳବାର) ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ଘଟି ୧୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ହାଥରସର ସିକନ୍ଦର ରାଓ ଥାନା ଅଧୀନରେ ଥିବା ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହ ସମୟରେ ଏହି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ବ ଦେବା ସହ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି।

ଏହି ଦୁର୍ଘଟଣାରେ ୧୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବାରୁ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକଙ୍କ ଦ୍ୱାରା କରାଯିବା କଥା ବୋଲି ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି।

ସତସଙ୍ଗରେ ଯୋଗ ଦେଇଥିବା ଜଣେ ମହିଳା କହିଛନ୍ତି ଯେ ଏହା ଜଣେ ସ୍ଥାନୀୟ ଗୁରୁଙ୍କ ସମ୍ମାନରେ ଆୟୋଜନ କରାଯାଇଥିଲା ଏବଂ ଭିଡ଼ ବାହାରିବା ଆରମ୍ଭ କରିବାରୁ ଏହି ଦଙ୍ଗା ସୃଷ୍ଟି ହୋଇଥିଲା।

ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଆଗ୍ରାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଲିଗଡ଼ କମିସନରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକ ମହିଳା ଅଛନ୍ତି ବୋଲି କୁହାଯାଉଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅତ୍ୟଧିକ ଉତ୍ତାପ ଯୋଗୁ ଦଳାଚକଟା ହୋଇଥିବା ଆଶଙ୍କା କରାଯାଉଛି। ସୂଚନାନୁସାରେ, ପୋଲିସ ଦଳ ଏବଂ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତ ମହିଳା, ଶିଶୁ ଏବଂ ପୁରୁଷଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏଟା, ଆଲିଗଡ, ସିକନ୍ଦରାରାଉ ଡାକ୍ତରଖାନାକୁ ନିଆଯାଇଛି। ପେଣ୍ଡାଲରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ଯୋଗୁ ଏଭଳି ଘଟିଥିବା କୁହାଯାଉଛି।

ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ , କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି ।