FeaturedLatestPolitics

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କାହିଁକି ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ: ସୁଲତା ଦେଓ

ନୂଆଦିଲ୍ଲୀ (ସଂକେତ ଟିଭି): ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗାରିମା ଭୁଲି ଯାଇଥିଲେ । ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରିବାକୁ କହିଥିଲେ । ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ । ଏହା କହି ବିଜେଡି ସାଂସଦ ସୁଲତା ଦେଓ ଆଜି ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଏଥି ସହିତ ବିଜେପି ଚଳିତ ନିର୍ବାଚନ ସମୟରେ ଓଡ଼ିଶାରେ କରିଥିବା ବିଭିନ୍ନ ମିଛ ପ୍ରଚାରକୁ ନେଇ ମଧ୍ୟ ସୁଲତା ବର୍ଷିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ । ଏଥିପାଇଁ ଓଡ଼ିଶାବାସୀଙ୍କୁ ବିଜେପି କ୍ଷମା ମାଗିବା ଉଚିତ। ଏଥି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ବିଜେପି ସରକାରକୁ ଆସିଲେ ୬ ଦିନରେ ଖୋଲିବାକୁ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି । ଏହା କଣ ଜୁମଲା ଥିଲା କି ବୋଲି ସୁଲତା ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ପୂର୍ବ ସରକାର ସମୟରେ ଭକ୍ତମାନେ ଶ୍ରୀମନ୍ଦିରର ଦୁଇଟି ଦ୍ୱାର ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର (କେବଳ ପୁରୀବାସୀ) ଦେଇ ଭିତରକୁ ଯାଉଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଭକ୍ତଙ୍କ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଥିଲା। ସେଥିରେ ଏହି ପ୍ରବେଶ କଟକଣା ମଧ୍ୟ ରହିଥିଲା। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ଭକ୍ତ। ଜଷ୍ଟିସ ବିପି ଦାସ କମିସନଙ୍କ ଶ୍ରୀମନ୍ଦିର ଭିଡକୁ ନେଇ ସମୀକ୍ଷା ପରେ ପୂର୍ବ ସରକାର ଏହି ନିଷ୍ପତ୍ତି ନେଇଥିଲେ। ହେଲେ ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ କହିଥିଲେ । ସରକାରକୁ ଆସିବା ପରେ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲିଲେ କିନ୍ତୁ ସ୍ଥିତି ଏମିତି ହେଲା ଯେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ତେଣୁ ପୁଣିଥରେ ସେହି ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ ୩ ଦ୍ୱାର ବାଟେ ବାହାରକୁ ଛାଡିଲେ। ନବୀନ ସରକାର କ’ଣ ପାଇଁ ୨ଟି ଦ୍ୱାରରେ ପ୍ରବେଶ ଅନୁମତି ଦେଇଥିଲେ, ତାହା ତର୍ଜମା ନକରି ବିଜେପି କେବଳ ରାଜନୈତିକ ଉଦେଶ୍ୟରେ ୪ ଦ୍ବାର ଖୋଲି ଦେଲା। ଆଉ ଏବେ ପୁଣି ବନ୍ଦ କଲା ।

ସେହିପରି ଓଡ଼ିଶାର ୮ଟି ଜିଲ୍ଲାକୁ ଏଯାଏଁ ରେଳ ସଂଯୋଗ ହୋଇନଥିବାକୁ ନେଇ ମଧ୍ୟ ବିଜେପି ଉପରେ ସୁଲତା ବର୍ଷିଛନ୍ତି । ସେ କହିଛନ୍ତି ଓଡ଼ିଶାରୁ ରେଲୱେ ସିଂହଭାଗ ରାଜସ୍ୱ ପାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାକୁ ରେଳ ସଂଯୋଗ ହୋଇନାହିଁ ।ପୂର୍ବରୁ ନବୀନ ସରକାର ମଧ୍ୟ ଘୋଷଣା କରିଥିଲେ ଓଡ଼ିଶାର ଯେଉଁଜିଲ୍ଲାକୁ ରେଳ ସଂଯୋଗ ନାହିଁ, ରେଳ ବିଭାଗ ସେ କାମ କରୁ ଆମେ ୫୦ ପ୍ରତିଶତ ଅର୍ଥ ସହ ଜମି ମାଗଣାରେ ଯୋଗଇଦେବୁ। କିନ୍ତୁ ବିଜେପି କଲା ନାହିଁ। ଓଡ଼ିଶାର ୮ ଜିଲ୍ଲାକୁ ଯେତେବେଳେ ଟ୍ରେନ୍ ସଂଯୋଗ ନାହିଁ ସେତେବେଳେ ବିଜେପି ବୁଲେଟ ଟ୍ରେନର ସୁନେଲୀ ସ୍ୱପ୍ନ ଦେଖାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କୁ ସୁଲତା ଟାର୍ଗେଟ କରିଛନ୍ତି ।