ବିଜେଡି ନେତା ବବି ଦାସଙ୍କ ନାମରେ ଥାନାରେ ଏତଲା
ଭୁବନେଶ୍ବର (ସଂକେତ ଟିଭି): ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଯୋଗୁଁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଶୁକ୍ରବାର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ଏହି ଏତଲା ଦିଆଯାଇଛି। ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି।
ଶ୍ରୀ ମହାନ୍ତି ନିଜର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଛନ୍ତି। ସ୍ୱତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ସରକାରୀ ଘର ନେବା ପରେ ସେଠାରେ କିଛି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଅନୁମତି ନେବାକୁ ପଡ଼େ। କିନ୍ତୁ ଶ୍ରୀ ଦାସ ଅନୁମତି ନେଇ ନଥିଲେ। ସେ ତାଙ୍କ ସରକାରୀ ଘରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିଥିଲେ ଓ ତାଙ୍କୁ ଏବେ ଭାଙ୍ଗି ଦେଇଛନ୍ତି।
ବବିଙ୍କୁ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ମିଳିଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ଦୁଇ ପାର୍ଶ୍ୱରେ ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ। ସେହି କୋଠାରେ ବିଦେଶରୁ ଆସିଥିବା ସୋଫା, ବେଡ୍, ମୂଲ୍ୟବାନ ଲାଇଟ୍ ଓ ଅନ୍ୟାନ୍ୟ ବିଳାସମୟ ସାମଗ୍ରୀ ରହିଥିଲା।