BusinessFeaturedGeneralLatest

ଜୁଲାଇ ୨୩ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ସେ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୨୨ରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

କିରଣ ରିଜିଜୁ କହିଛନ୍ତି ଯେ ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ୨୨ ଜୁଲାଇ, ୨୦୨୪ରୁ ବଜେଟ୍ ଅଧିବେଶନ, ୨୦୨୪ ପାଇଁ ସଂସଦର ଉଭୟ ଗୃହ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଜୁଲାଇ ୨୩, ୨୦୨୪ରେ ଲୋକସଭାରେ ଉପସ୍ଥାପିତ ହେବ।

ଆଗାମୀ ବଜେଟ୍ ନିର୍ମଳାଙ୍କ ଲଗାତାର ୭ମ ବଜେଟ୍ ହେବ । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଅର୍ଥମନ୍ତ୍ରୀ ହେବେ ।