FeaturedLatestSports

ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଟିମ ଇଣ୍ଡିଆର କ୍ୟାପଟେନ୍ ହେବେ ରୋହିତ୍ ଶର୍ମା

ନୂଆଦିଲ୍ଲୀ (ସଂକେତ ଟିଭି): ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏବଂ ଚାମ୍ପିୟନ୍ସ ଟ୍ରଫିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଏଥିସହ ଟି-୨୦ ବିଶ୍ୱକପ ଭଳି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଓ WTC ଫାଇନାଲ ଖେଳିବ ଓ ଟ୍ରଫି ଜିତିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏଥି ସହ ଜୟ ଶାହା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଟି-୨୦ ବିଶ୍ୱକପ୍‌ ଜିତିବାର ଶ୍ରେୟ ଦେଇଛନ୍ତି। ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଶାହ କହିଛନ୍ତି, “ମୁଁ ନିଶ୍ଚିତ ଯେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଆମେ WTC ଫାଇନାଲ ଓ ଚାମ୍ପିୟନ୍ସ ଟ୍ରଫି ଜିତିବୁ। ଐତିହାସିକ ବିଜୟ ପାଇଁ ମୁଁ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି। ଏହି ବିଜୟକୁ ମୁଁ ରୋହିତ ଶର୍ମା, ବିରାଟ କୋହଲି, ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ରବୀନ୍ଦ୍ର ଜାଡେଜାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି।

ସେ କହିଛନ୍ତି ଗଲା ଗୋଟିଏ ବର୍ଷ ମଧ୍ୟରେ ଏହା ଆମର ତୃତୀୟ ଫାଇନାଲ। ଆମେ ୨୦୨୩ ଜୁନରେ ଆମେ ଅଷ୍ଟ୍ରେଲିଆ ଠାରୁ ହାରିଥିଲୁ। ୨୦୨୩ ନଭେମ୍ବରରେ ଆମେ ୧୦ଟି ବିଜୟ ହାସଲ କରି ଲୋକଙ୍କ ହୃଦୟ ଜିତିଥିଲୁ। କିନ୍ତୁ ଆମେ ବିଶ୍ୱକପ ଜିତି ପାରି ନଥିଲୁ।

ଚଳିତ ବର୍ଷ ଫେବୃଆରୀ ୧୪ରେ ମୁଁ ରାଜକୋଟରେ କହିଥିଲି ଯେ ୨୦୨୪ ଜୁନ ମାସରେ ଆମେ ଲୋକ ହୃଦୟ ସହ ଟି-୨୦ ବିଶ୍ୱକପ ଜିତିବୁ। ବାର୍ବଡସରେ ତ୍ରିରଙ୍ଗା ପୋତିବୁ। ଆମ ଅଧିନାୟକ ତାହା କରି ଦେଖାଇଛନ୍ତି। ଫାଇନାଲ ବିଜୟରେ ଶେଷ ୫ ଓଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏଥିପାଇଁ ମୁଁ ସୂର୍ଯ୍ୟ କୁମାର ଯାଦବ(ଡାଭିଡ ମିଲରଙ୍କ ଚମତ୍କାର କ୍ୟାଚ ଧରିଥିଲେ), ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ବର୍ତ୍ତମାନ ଆମର ପରବର୍ତ୍ତୀ ଟାର୍ଗେଟ ହେଉଛି WTC ଫାଇନାଲ ଓ ଚାମ୍ପିୟନ୍ସ ଟ୍ରଫି ଜିତିବା।”

ସୂଚନାଯୋଗ୍ୟ, ଆମେରିକା ଏବଂ ଓ୍ବେଷ୍ଟ୍‌ଇଣ୍ଡିଜ ମାଟିରେ ଟି-୨୦ ବିଶ୍ୱକପ୍‌ ୨୦୨୪ ଖେଳାଯାଇଥିଲା। ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା। ଯେଉଁଠାରେ ଟାଇଟଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଭାରତ ଏହାର ୮ଟି ମ୍ୟାଚ୍‌ ଜିତିଛି।