FeaturedLatestNewsSports

କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ହକି ତାରକା ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଏହି ଦୁଇ ଖେଳାଳୀଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସ । କେବଳ ନିଜର ଜନ୍ମମାଟି ନୁହେଁ, ସମଗ୍ର ରାଜ୍ୟକୁ ଉଭୟ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜାଭେଲିନ୍‌ ଥ୍ରୋରେ ଶ୍ରୀ ଜେନା ଏବଂ ହକି ତାରକା ଶ୍ରୀ ରୋହିଦାସଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆର୍ଥିକ ସହାୟତା ଏକ ପ୍ରୟାସ ମାତ୍ର। ଉଭୟଙ୍କ ସାମର୍ଥ୍ୟ ଉପରେ ଓଡ଼ିଶାବାସୀଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶାବ୍ୟକ୍ତ କରିଛନ୍ତି।

୨୮ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ବାସିନ୍ଦା । କିଶୋର ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲରେ ରହି ଜାଭେଲିନ ଥ୍ରୋ ରେ ନିଜର କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଏଠାରେ ରହି ସେ ପ୍ରଶିକ୍ଷଣ ନେଉଥିଲେ । ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚମ୍ପିଆନ୍‌ସିପ୍‌ରେ ଜାଭେଲିନ ଥ୍ରୋ ରେ ସେ ରୌପ୍ୟ ପଦକ ଜିତିଥିଲେ । ସେହିବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ଚୀନର ହାଙ୍ଗଝୌ ସହରରେ ଆୟୋଜିତ ଏସୀୟ କ୍ରିଡ଼ା ୨୦୨୩ରେ ନିଜ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ କିଶୋର ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳରେ ଅମିତ ରୋହିଦାସଙ୍କ ଘର । ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ । ୨୦୦୯ରେ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ପରେ ୨୦୧୨ରେ ଏସିଆନ୍‌ ଚମ୍ପିଆନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିଲେ ଅମିତ । ପରବର୍ତ୍ତୀ ସମୟରେ ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍‌ରେ କାଂସ୍ୟ ଜିତିବା ସହ ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ, ୨୦୧୮ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୮ତମ ସୁଲତାନ ଆଜଲାନ ଶାହ କପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ଅମିତ ରୋହିଦାସ । ୨୦୨୧ରେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ ଅମିତ । ତେବେ ଏସିଆନ୍‌ ଗେମ୍ସ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ଭାରତୀୟ ଦଳ ୫-୧ରେ ମାତ୍‌ ଦେଇଥିବାବେଳେ ଏଥିରେ ଓଡ଼ିଆ ପୁଅ ତଥା ଭାରତୀୟ ହକି ଦଳର ଉପଅଧିନାୟକ ଭାର ସମ୍ଭାଳିଥିବା ଅମିତ ରୋହିଦାସ ଚମତ୍କାର ପ୍ରଦର୍ଶନ କରିଥିଲେ ।