ବଡଠାକୁର ପଡିଯିବା ଘଟଣା: ସରକାରକୁ ଘେରିଲେ ବିଜେଡି ଓ କଂଗ୍ରେସ
ଭୁବନେଶ୍ବର (ସଂକେତ ଟିଭି): ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇବା ଘଟଣାରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ।
ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ଯେ ବଡ଼ଠାକୁର ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେଇଛି । ମର୍ମାହତ କରିଛି । ବେଶୀ ମର୍ମାହତ କରିଛି ରାଜ୍ଯ ସରକାରଙ୍କ ବେପରୁଆ ମନ୍ତବ୍ଯ ।
ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଗତକାଲି ଶ୍ରୀକ୍ଷେତ୍ରରେ ଯେଉଁ ଅଘଟଣ ଘଟିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ତାହା ସମସ୍ତଙ୍କୁ ମର୍ମାହତ, ଲଜ୍ଜିତ, ବ୍ୟଥିତ କରିଛି । ଯିଏ ଭଗବାନକୁ ଟିକେ ଵି ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହା ଲଜ୍ଜାଜନକ ଘଟଣା । ସମସ୍ତେ କାନ୍ଦୁଛନ୍ତି । ହେଲେ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତକୁ ମର୍ମାହତ କରିଛି ବୋଲି ସେ ପ୍ରେସମିଟ କରି କହିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପୁରୀରେ ମଙ୍ଗଳବାର ଯେଉଁ ଅଘଟଣ ଘଟିଲା ରାଜ୍ୟ ସରକାର ଉପମୁଖ୍ୟ ମନ୍ତ୍ରୀଙ୍କୁ ପଠାଇଲେ । ଆଇନ ମନ୍ତ୍ରୀ ଗଲେ ହେଲେ ମୁଖ୍ୟମନ୍ତ୍ରୀ ନିଜେ ନଯିବା ନିନ୍ଦନୀୟ । ଆଉ ରାଜ୍ୟ ସରକାରଙ୍କ ଏ ମନ୍ତବ୍ୟ ଏହା ସାମାନ୍ୟ କଥା ପ୍ରଭୁଙ୍କ ଇଚ୍ଛା ଅତ୍ୟନ୍ତ ଦୁଃଖଦାୟକ । ଏହା ରାଜ୍ୟ ସରକାରଙ୍କ ପାଇଁ ସାମାନ୍ୟ କଥା ହୋଇପାରେ କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଛୋଟିଆ କଥା ନୁହେଁ । କାହିଁକି ଆବଶ୍ୟକ ଠାରୁ ଅଧିକ ଲୋକ ରଥରେ ଥିଲେ, କେମିତି ଏତେ ବଡ ଅଘଟଣ ଘଟିଲା, କିଏ ସେଥିପାଇଁ ଦାୟୀ ତାର ତଦନ୍ତ କରିବା ଦରକାର । ହାଇକୋର୍ଟ ଜଷ୍ଟିସ ଏହାର ତଦନ୍ତ କରି ଯେଉଁମାନେ ଏଥିରେ ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।
ସେପଟେ ଏହି ଅଘଟଣକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।
ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ। ପରିଚାଳନା କମିଟି ବୈଠକରେ ଏନେଇ ବିଶେଷ ଆଲୋଚନା ହେବ। ଆଗାମୀ ରଥଯାତ୍ରାରେ ଯେମିତି ଏଭଳି ନ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି।