FeaturedGeneralLatest

ବିବାହ ବିଚ୍ଛେଦ ପରେ ଭରଣପୋଷଣ ଦାବି କରିପାରିବେ ମୁସଲିମ ମହିଳା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ବିବାହ ବିଚ୍ଛେଦ ପରେ ମୁସଲିମ ମହିଳା ବି ଭରଣପୋଷଣ ଦାବି କରିପାରିବେ । ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ।

ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ ମହିଳା ଜଣକ CrPCର ଧାରା 125 ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CrPCର ଧାରା 125 ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଏହି ଆବେଦନର ଶୁଣାଣି ସମୟରେ, ଅବଦୁଲଙ୍କ ଓକିଲ ଯୁକ୍ତିବାଢ଼ି କହିଥିଲେ ଯେ, ତଲାକକୁ ନେଇ ସଂରକ୍ଷଣ ଅଧିକାର ଆଇନ, 1986 ଅନୁସାରେ ଜଣେ ମୁସଲିମ ମହିଳା CrPC ଧାରା 125ର ଅଧିକାର ପାଇବା ପାଇଁ ଦାବି କରିପାରିବ ନାହିଁ। ଏମିତିରେ 1986 ଅଧିନିୟମ ମୁସଲିମ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ।

ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ଭରଣ ପୋଷଣର ଅଧିକାର ପାଇଛନ୍ତି। ଧାରା 125 ଅନୁଯାୟୀ ସମସ୍ତ ଧର୍ମର ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ମାମଲା ଦାୟର କରିପାରିବେ। ଧର୍ମ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ।