FeaturedGeneralLatestPolitics

ଜୁନ୍ ୨୫କୁ ସମ୍ୱିଧାନ ହତ୍ୟା ଦିବସ ଭାବେ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): ଜୁନ୍ ୨୫କୁ କେନ୍ଦ୍ର ସରକାର ସମ୍ୱିଧାନ ହତ୍ୟା ଦିବସ ଭାବରେ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ଏକ୍ସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ନୋଟିଫିକେସନ ଫଟୋ ସେୟାର କରିବା ଏହି ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୧୯୭୫ ଜୁନ୍ ୨୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ । ଏବେ ଏହାକୁ ନଜରରେ ରଖି ମୋଦୀ ସରକାର କଂଗ୍ରେସକୁ ଘେରି ଏହି ଦିନକୁ ସମ୍ୱିଧାନ ହତ୍ୟା ଦିବସ ଘୋଷଣା କରିଛନ୍ତି ।

ଏକ୍ସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଲେଖିଛନ୍ତି, ୧୯୭୫ ଜୁନ୍ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ମାନସିକତାର ପରିଚୟ ଦେଇ ଦେଶ ଉପରେ ଜରୁରୀକାଳୀନ ସ୍ଥିତି ଲଦି ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା କୌଣସି ଭୁଲରେ ଜେଲରେ ଭର୍ତ୍ତି କରାଯାଇଥିଲା ଏବଂ ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା । ଭାରତ ସରକାର ପ୍ରତିବର୍ଷ ଜୁନ୍ ୨୫କୁ ସମ୍ୱିଧାନ ହତ୍ୟା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦିନ ସେହି ସମସ୍ତଙ୍କ ମହାନ ଯୋଗଦାନକୁ ମନେ ପକାଯିବ, ଯେଉଁମାନେ ୧୯୭୫ର ଏର୍ମଜେନ୍ସିର ଅମାନବୀୟ କଷ୍ଟକୁ ସହିଥିଲେ ।

ଅମିତ୍ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ସେହି ସମସ୍ତ ଲୋକଙ୍କ ସଂଘର୍ଷକୁ ସମ୍ମାନ କରିବା, ଯେଉଁମାନେ ଏକଛତ୍ରବାଦ ସରକାରଙ୍କ ଅସଂଖ୍ୟ ଉତ୍ପୀଡନର ସାମନା କରିବା ସତ୍ତ୍ୱେ ଗଣତନ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ସଂଘର୍ଷ କରିଥିଲେ । ସମ୍ୱିଧାନ ହତ୍ୟା ଦିବସ ପ୍ରତି ଭାରତୀୟଙ୍କ ଭିତରେ ଲୋକତନ୍ତ୍ରର ରକ୍ଷା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅମର ଜ୍ୟୋତିକୁ ଜୀବିତ କରିବାର କାମ କରିବ, ଫଳରେ କଂଗ୍ରେସ ପରି କୌଣସି ବି ଏକଛତ୍ରବାଦ ମାନସିକତା ଭବିଷ୍ୟତରେ ଏହାର ପୁନରାବୃତି କରିବ ନାହିଁ ।