CulturalLatestNews

ରଥ ଉପରକୁ ମୋବାଇଲ ନେଇପାରିବେନି ସେବାୟତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତି ପାଇଥିବା ଅରବିନ୍ଦ ପାଢୀ ରଥ ଉପରେ ମୋବାଇଲ୍ ନିଷେଧ କରିଛନ୍ତି । ରଥ ଉପରକୁ ମୋବାଇଲ ନେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାସହିତ ରଥ ଉପରେ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ସେବା ନଥିଲେ ସେବାୟତ ରଥ ଉପରକୁ ଯାଇପାରିବେନି ବୋଲି ସେ କହିଛନ୍ତି ।

ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି କି, ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଏନେଇ ଆଲୋଚନା କରାଯିବ । ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପାଳନ ନେଇ ପଦକ୍ଷେପ ନିଆଯିବ । ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି।