ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୪ଦିନ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର (ସଂକେତ ଟିଭି): ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୪ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆଜିଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ଏବଂ କେତେକ ସ୍ଥାନରେ ପ୍ରବଳ ଓ ମଧ୍ୟମ ଧରଣର ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ବେଲଗୁଣ୍ଠାରେ ସର୍ବାଧିକ ୮୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଏହି ଜିଲ୍ଲାଗୁଡ଼ିକୁ ସତର୍କତା ଜାରି କରାଯାଇଛି ।