FeaturedGeneralLatestPolitics

ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରିଥିଲେ ବାଲ୍ ଠାକରେ-ଆରଏସଏସ : ସଞ୍ଜୟ ରାଉତ

ନୂଆଦିଲ୍ଲୀ (ସଂକେତ ଟିଭି): ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲଗାଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଶିବସେନା ସଭାପତି ବାଲାସାହେବ ଠାକରେ ଏବଂ ରାଷ୍ଟ୍ରିୟ ସ୍ବୟଂସେବକ ସଙ୍ଘ (ଆରଏସଏସ) ସମର୍ଥନ କରିଥିଲେ। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଜରୁରୀକାଳୀନ ପରିସ୍ଥିତି ଉପରେ ଏଭଳି ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।

କେନ୍ଦ୍ର ସରକାର ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ସଞ୍ଜୟ ରାଉତ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବିଜେପି ପାଖରେ ଆଉ କୌଣସି କାମ ନାହିଁ। ୫୦ ବର୍ଷ ବିତି ସାରିଛି, ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ସାରିଛନ୍ତି । କିନ୍ତୁ କିଛି ଲୋକ ଦେଶରେ ଅରାଜକତା ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି‘ଏମରଜେନ୍ସିଂ’ କାହିଁକି ଲଗାଯାଇଥିଲା? କିଛି ଲୋକ ଦେଶରେ ଅରାଜକତା ବଢ଼ାଇବାକୁ ଚାହୁଁଥିଲେ। ସେହି ସମୟରେ ୧୯୭୫ ମସିହାରେ ରାମଲିଲା ମଇଦାନରୁ ଏକ ଘୋଷଣା କରାଯାଇଥିଲା ଯେ ଦେଶର ଯବାନ ଏବଂ ସେନା ସରକାରଙ୍କ ଆଦେଶ ପାଳନ କରିବେ ନାହିଁ। ଏଭଳି ସ୍ଥିତିରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ବି ଏମରଜେନ୍ସିଂ ଲଗାଇଥାନ୍ତେ। ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ଥିଲା। କିଛି ଲୋକ ଦେଶର ବିଭିନ୍ନ ସ୍ଥାନରେ ବୋମା ତିଆରି କରି ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହେଉଥିଲେ। ଏକଥା ସମସ୍ତେ ଜାଣନ୍ତି।

ଅମିତ ଶାହା ଜରୁରୀକାଳୀନ ବିଷୟରେ କିଛି ଜାଣନ୍ତି ନାହିଁ । ଯେଉଁମାନେ ବାଲା ସାହେବ ଠାକରେଙ୍କ ନକଲି ଶିବସେନା ଅର୍ଥାତ୍ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରଶଂସା କରନ୍ତି ସେମାନେ ସମ୍ବିଧାନ ହତ୍ୟା ଦିବସରେ ପାଳନ କରି ଦେଶକୁ ଅରାଜକତା ଆଡ଼କୁ ନେଇ ଯାଉଛନ୍ତି। ବାଲାସାହେବ ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରିଥିଲେ। କେବଳ ଏତିକି ନୁହେଁ, ଆରଏସଏସ ମଧ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଠିକ୍ ପଦକ୍ଷେପ ବୋଲି କହିଥିଲା। ମୁମ୍ବାଇରେ ଇନ୍ଦିରା ଗାନ୍ଧୀଙ୍କୁ ସ୍ୱାଗତ କରାଯାଇଥିଲା।

ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି ଯେ ଅଟଳ ଜୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିନାହାନ୍ତି। ଏପରି ସ୍ଥଳେ ବିଜେପି କିଏ? ବିଜେପି ଲୋକଙ୍କୁ ଦ୍ୱନ୍ଦରେ ପକାଉଛି। ବିଜେପିର ମୁଣ୍ଡ ଠିକ୍ ଭାବେ କାମ କରୁନି। ଯଦି ଆମେ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହୁଛୁ, ତେବେ ମୋଦୀ ସରକାରଙ୍କ ଗତ ୧୦ ବର୍ଷ ମଧ୍ୟରେ ପ୍ରତିଦିନ ସମ୍ବିଧାନକୁ ହତ୍ୟା କରାଯାଇଛି ବୋଲି ସଞ୍ଜୟ କହିଛନ୍ତି।