CulturalFeaturedLatestNews

ଖୋଲିଲା ରତ୍ନଭଣ୍ଡାର, ସ୍ଥାନାନ୍ତର ହେଲା ବାହାର ରତ୍ନଭଣ୍ଡାରର ଅଳଙ୍କାର

ପୁରୀ (ସଂକେତ ଟିଭି): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ବେଳେ ପରବର୍ତ୍ତି ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା ।

ରତ୍ନଭଣ୍ଡାରରୁ ବାହାରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଛି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍‌ କରାଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ହୋଇନି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ରତ୍ନଭଣ୍ଡାର ଗେଟ୍‌କୁ ଗଲୁ । ସେଠାରେ ଥିବା ୩ଟି ତାଲା ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିଲାନି । ନିୟମାନୁସାରେ ସେଠାରେ ପଡ଼ିଥିବା ୩ଟି ତାଲା ଭଙ୍ଗାଗଲା । ତାଲା ଭଙ୍ଗାଗଲା ପରେ ଭଣ୍ଡାର ଭିତରକୁ ପୂରା କମିଟି ଗଲା । ଅଳଙ୍କାର ସବୁ ସେଠାରେ ସିନ୍ଦୁକ, ଆଲମାରୀରେ ରହିଥିଲା । ସିନ୍ଦୁକ, ଆଲମାରୀଗୁଡ଼ିକୁ ଆମେ ଆଜି ଖୋଲିଲୁ ନାହିଁ । ତାକୁ ସ୍ଥାନାନ୍ତରଣ କରିବା ଆଜି ସମ୍ଭବ ନୁହେଁ, ତେଣୁ ଖୋଲାଗଲାନି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଆଜି ରତ୍ନଭଣ୍ଡାର ଖୋଲାଯିବା ପରେ ଭିତରକୁ ୧୧ ଜଣ ସଦସ୍ୟ ଯାଇଥିଲେ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ , ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା।

ସେପଟେ ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ୬ଟି ସିନ୍ଦୁକ ପହଞ୍ଚିଥିଲା । ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି। ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି।