FeaturedGeneralLatest

ଗୁଳି କରିଥିବା ୨୦ ବର୍ଷୀୟ ଯୁବକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ

ୱାଶିଂଟନ (ସଂକେତ ଟିଭି): ପେନସିଲଭେନିଆ ଠାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକଙ୍କ ପରିଚୟ ମିଳିଛି। ଏହି ବ୍ୟକ୍ତିଙ୍କ ନାମ ଥୋମାସ ମାଥ୍ୟୁ କ୍ରୁକ୍ସ ବୋଲି କୁହାଯାଛି। ସେ ପେନସିଲଭାନିଆର ବେଥେଲ ପାର୍କ ଅଞ୍ଚଳର ବାସିନ୍ଦା। ତାଙ୍କର ବୟସ ପ୍ରାୟ ୨୦ ବର୍ଷ । ସେ ଟ୍ରମ୍ପଙ୍କ ରାଜନୀତିକ ଦଳ ରିପବ୍ଲିକାନର ସଦସ୍ୟ। ସେ ଦଳରେ ନିଜର ପଞ୍ଜୀକରଣ ମଧ୍ୟ କରିଛନ୍ତି।

ସ୍ଥାନୀୟ ସରକାରୀ ଓକିଲ ରିଚାର୍ଡ ଗୋଲ୍ଡିଙ୍ଗେର କହିଛନ୍ତି, ଆକ୍ରମଣକାରୀ ଜଣଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ପଡ଼ିଆରେ ରହିଥିଲେ। ପଡ଼ିଆ ବାହାରେ ଥିବା ଗୋଟିଏ ଉତ୍ପାଦନ କେନ୍ଦ୍ରର ଛାତ ଉପରେ ସେ ରହି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଉକ୍ତ ସ୍ଥାନଟି ଟ୍ରମ୍ପ ଭାଷଣ ଦେଉଥିବା ଷ୍ଟେଜ ଠାରୁ ୧୩୦ ୟାର୍ଡ ଦୂର। ଖୋଲା ମଞ୍ଚରେ ଟ୍ରମ୍ପ ଭାଷଣ ଦେଉଥିବାରୁ ଆକ୍ରମଣକାରୀ ଜଣଙ୍କ ଅତି ସହଜରେ ଟାର୍ଗେଟ ସେଟ କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି।

ସେପଟେ ଆକ୍ରମଣକାରୀଙ୍କର ଫଟୋ ଏବଂ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ, ଲମ୍ବା କେଶ ରଖିଥିବା ଥୋମାସ୍ କହୁଛନ୍ତି ଯେ ସେ ରିପବ୍ଲିକାନ୍ ଏବଂ ଟ୍ରମ୍ପ୍‌ଙ୍କୁ ଘୃଣା କରନ୍ତି। ଆପଣ ଭୁଲ୍ ବ୍ୟକ୍ତିଙ୍କୁ ପାଇଛନ୍ତି।

ଏହା ବ୍ୟତୀତ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଛାତ ଉପରେ ପଡ଼ିଛି, ଯାହାଙ୍କୁ ଟ୍ରମ୍ପ୍‌ଙ୍କ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନଙ୍କ ଦ୍ୱାରା ଗୁଳି କରାଯାଇଛି। ମୃତଦେହ ନିକଟରେ ଏକ ଆର୍-୧୫ ସେମି ଅଟୋମେଟିକ୍ ରାଇଫଲ ମିଳିଛି। ଦାବି କରାଯାଉଛି ଯେ ଉକ୍ତ ବ୍ୟକ୍ତି ରାଇଫଲ ସାହାଯ୍ୟରେ ଟ୍ରମ୍ପ୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ।

ଆଜି ଟ୍ରମ୍ପ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ସେ ଭାଷଣ ଆରମ୍ଭ କରିବାର ପ୍ରାୟ ୫/୭ ମିନିଟ ପରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ ପରେ ପରେ ଟ୍ରମ୍ପ ତାଙ୍କ ଡାହାଣ କାନ ଉପରେ ହାତ ରଖି ଆଣ୍ଠୁ ମାଡ଼ି ତଳେ ବସି ପଡ଼ିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ତାଙ୍କୁ ଘେରି ଯାଇଥିଲେ। ପୂରା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଗାଡ଼ିକୁ ନିଆଯାଇଥିଲା।

ଏହି ଘଟଣାକୁ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରେଟିକ୍ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେରିକାରେ ଏଭଳି ହିଂସାକାଣ୍ଡର କୌଣସି ସ୍ଥାନ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଏହାର ନିନ୍ଦା କରିବା।