ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ
ପୁରୀ (ସଂକେତ ଟିଭି): ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାହାରକୁ କାଢ଼ିଛନ୍ତି । ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ ଅଣ ସେବାୟତଙ୍କୁ ରଥରୁ ବାହାରକୁ କାଢ଼ିଥିଲେ। ଏହି ସମୟରେ କେତେକ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିବାର ନଜରକୁ ଆସିଥିଲା ।
ତେବେ ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।