ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ : ଗିରଫଦାରୀ ଦାବି କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେଡି । ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ୍ୟପାଳଙ୍କ ପୁଅଙ୍କ ଗିରଫଦାରୀ ଦାବି କରିଛନ୍ତି ।
ସେ କହିଛନ୍ତି, ପୁରୀ ରାଜଭବନରେ ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ୧୦ ଦିନ ହେଲାଣି, ପରେବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି । ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ।
ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ଅଣ ଓଡ଼ିଆ ଲୋକ ଓଡିଆଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଛି । ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ ଆମେ ପ୍ରଥମଥର ଦେଖୁଛୁ । ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ ବୋଲି କହିଛନ୍ତି ଲେଖାଶ୍ରୀ ।
ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ନିର୍ଯାତନା ପାଇବା ପରେ ଏଏସଓ ବୈକୁଣ୍ଠ ପ୍ରଧାନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ପାଖରେ ନିଜର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି। ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖଦାୟକ, ହୃଦୟବିଦାରକ କଥା। ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ମୁଖା ଖୋଲିଛି। ଅସ୍ମିତା କଥା କହୁଥିବା ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନନେବା ଘଟଣା ଓଡ଼ିଶାକୁ ନିନ୍ଦିତ ଓ ଲଜ୍ଜିତ କରୁଛି।
ଲେଖାଶ୍ରୀ ଗତ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇ କହିଛନ୍ତି, ନବୀନ ସରକାର ଥିଲାବେଳେ ଯିଏ ଦୋଷୀ ହେଉଥିଲା ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନବୀନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହେଲେ ଏଠି କିନ୍ତୁ ସରକାର ୧୦ ଦିନ ହେଲାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ।
ନ୍ୟାୟ ପାଇଁ ଗୁହାରି କରୁଥିବା ବୈକୁଣ୍ଠ ପ୍ରଧାନଙ୍କୁ ଗତକାଲି ମୋହନ ସରକାର ଗୃହ ବିଭାଗକୁ ବଦଳି କରିଛନ୍ତି। ଯାହାକୁ ନେଇ ଲେଖାଶ୍ରୀ କହିଛନ୍ତି ଓଡ଼ିଆ ଅଫିସର ମାଡ ଖାଇଲେ , ହେଲେ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ବଦଳି କରିଦିଆଗଲା। ହେଲେ ରାଜ୍ୟପାଳଙ୍କ ପୁଅ କଲର ଟେକି ବୁଲୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।