CulturalLatestNews

ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ ଭିତର ରତ୍ନଭଣ୍ଡାରର ଅଳଙ୍କାର : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦିକୁ ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଗତ ୧୪ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଛି। ସେହି ୨ଟି ଚାବି ଆଣି ୧୮ ତାରିଖରେ, ସେଦିନ ଲାଗିଥିବା ନୂଆ ତାଲା ଖୋଲାଯିବ ବୋଲି ସେ କହିଛନ୍ତି ।

ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର ଶେଷ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହାର ମରାମତି ପାଇଁ ହସ୍ତାନ୍ତର କରାଯିବ। ପ୍ରତ୍ନତତ୍ତ୍ବ ବିଭାଗ ମରାମତି ଶେଷ କରିବା ପରେ ପୁଣିଥରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାର ଭିତରକୁ ନିଆଯିବ, ଏବଂ ରତ୍ନଭଣ୍ଡାର ଭିତରେ ହିଁ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଗଣତି ତଥା ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୧୪ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥି୍ଲା। ମାର୍ଗଦର୍ଶିକା ଅନୁସାରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନ ଭଣ୍ଡାରର ୩ଟି ଚାବି ରହିଥାଏ । ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ। ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା।

ଏହାପରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରସ୍ତୁତି ହୋଇଥିଲା। ଭିତର ରତ୍ନଭଣ୍ଡାରରେ ୩ଟି ତାଲା ଲାଗିଥିଲା। ଏହା ମଧ୍ୟରୁ ଗୋଟିଏ ଜଉମୁଦ ସିଲ୍ ହୋଇଥିଲା ଏବଂ ଅନ୍ୟ ଦୁଇଟି ସିଲ୍ ନ ହୋଇ ବନ୍ଦ ଥିଲା। ଜିଲ୍ଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ସମସ୍ତ ତାଲା ଖୋଲିବା ଉଦ୍ୟମ କରାଗଲା। କିନ୍ତୁ କୌଣସି ବି ତାଲା ଖୋଲି ନଥିଲା। ତେଣୁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ତାଲାକୁ ଭଙ୍ଗାଯାଇଥିଲା । ଭଙ୍ଗା ୩ଟି ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି। ଭିତର ରତ୍ନଭଣ୍ଡାରରେ ଥିବା ଜିନିଷାତ୍ ସ୍ଥାନାନ୍ତର କରିବା ସମୟ ସାପେକ୍ଷ ହୋଇଥିବା କମିଟି ଅନୁଭବ କରିଥିଲେ, ତେଣୁ ଆଉ ଏକ ଦିନରେ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର କରିବାକୁ ସ୍ଥିର ହୋଇଥିଲା । ଶେଷରେ ଭିତର ରତ୍ନଭଣ୍ଡାରରେ ୨ଟି ନୂଆ ତାଲା ଲଗାଯାଇ ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ଚାବିଗୁଡିକୁ ଟ୍ରେଜେରିରେ ଜମା କରାଯାଇଛି।