ସାରା ବିଶ୍ବରେ ମାଇକ୍ରୋସଫ୍ଟ ସର୍ଭର ଡାଉନ, ବିମାନ, ଟେଲିକମ ଓ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ
ନୂଆଦିଲ୍ଲୀ (ସଂକେତ ଟିଭି): ସାରା ବିଶ୍ବରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଯାଇଛି । ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ବ୍ରିଟେନ ସମେତ ଅନେକ ଦେଶରେ ମାଇକ୍ରୋସଫ୍ଟ ସର୍ଭର ଡାଉନ ହୋଇଯାଇଛି । ଫଳରେ ସାରା ବିଶ୍ବରେ ବିମାନ ସେବା ଠାରୁ ନେଇ ବ୍ୟାଙ୍କିଙ୍ଗ, ହସ୍ପିଟାଲ, ଏୟାରପୋର୍ଟ, ଟେଲିକମ୍, ମିଡିଆ, ସେୟାର ବଜାର ଇତ୍ୟାଦି କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ଭାରତରେ ସ୍ପାଇସ୍ଜେଟ ଓ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ସମସ୍ୟା ଦିଲ୍ଲୀ ଓ ହାଇଦ୍ରାବାଦ ବିମାନ ବନ୍ଦରରେ ସେବା ପ୍ରଭାବିତ କରିଛି । ବିଶେଷକରି ଫ୍ଲାଇଟ ବୁକିଂ ଓ ଚେକ୍-ଇନ ଭଳି ସେବାରେ ସମସ୍ୟା ହେଉଛି । ଆମେରିକା ସମେତ ଅନେକ ଦେଶରେ ବିମାନ ଉଡାଣରେ ସମସ୍ୟା ହେଉଛି । ଆମେରିକାର ବିଭିନ୍ନ ସ୍ଥାନରେ ୯୧୧ ଏମର୍ଜେନ୍ସି ସେବା ବାଧାପ୍ରାପ୍ତ ହୋଇଛି । ନନ୍-ଏମର୍ଜେନ୍ସି ସେବା ଗୁଡିକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଆଜି ସକାଳୁ ବ୍ରିଟେନର ସବୁଠୁ ବଡ ଟେଲିଭିଜନ ଚ୍ୟାନେଲ ସ୍କାଏ ନ୍ୟୁଜରେ ବ୍ରଡକାଷ୍ଟିଂ ହୋଇପାରୁନାହିଁ । ଏହି ଅସୁବିଧା ପାଇଁ ଚ୍ୟାନେଲ ପକ୍ଷରୁ ଦର୍ଶକମାନଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି । କେବଳ ସ୍କାଏ ନ୍ୟୁଜ ନୁହେଁ, ବିଶ୍ବର ଅନେକ ବଡ ବଡ ମିଡିଆ ଏଜେନ୍ସି ଗୁଡିକରେ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି । ଆସସିଏଟେଡ ପ୍ରେସ ନ୍ୟୁଜ ଏଜେନ୍ସି ଖବର ପ୍ରକାଶନ କରିବାରେ ସମସ୍ୟା ହେଉଥିବା ଜଣାଇଛି ।
ସେହିପରି ଇଂଲଣ୍ଡରେ ଡାକ୍ତରଙ୍କ ଦ୍ବାର ବ୍ୟବହାର ହେଉଥିବା ହେଲ୍ଥ ବୁକିଂ ସିଷ୍ଟମ ଅଫଲାଇନ ହୋଇଯାଇଛି । ଏମିତିକି ସକାଳୁ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ସେବା ବାଧାପ୍ରାପ୍ତ ହେବା କାରଣରୁ ନିବେଶକ ଓ କମ୍ପାନୀ ଗୁଡିକ ସମସ୍ୟାରେ ପଡିଛନ୍ତି । ଆମେରିକାର ପ୍ରମୁଖ ଏୟାରଲାଇନ୍ସ ଯେମିତିକି, ଆମେରିକା ଏୟାରଲାଇନ୍ସ, ଡେଲ୍ଟା ଓ ୟୁନାଇଟେଡ ଏୟାରଲାଇନର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସବୁ ବିମାନଗୁଡିକୁ ଅବତରଣ କରାଯାଇଛି ।
ଏନେଇ ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି, ଆମେ ଏହି ଆଇଟି ସମସ୍ୟା ନେଇ ଅବଗତ ଅଛୁ ଏବଂ ଏହାକୁ ଯଥାଶୀଘ୍ର ଠିକ୍ କରିବାକୁ ପ୍ରୟାସ କରୁଛୁ । ପୂର୍ବାହ୍ନ ୧ଟା ୩୦ରୁ ବର୍ଲିନ ବିମାନ ବନ୍ଦରର ସେବା ମଧ୍ୟ ଯନ୍ତ୍ରିକ ତ୍ରୁଟି ପାଇଁ ଠପ୍ ରହିଛି ।