ବିଜେପିକୁ ସଂସଦରେ ଘେରିବ ବିଜେଡି, ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ
ଭୁବନେଶ୍ବର (ସଂକେତ ଟିଭି): ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ରାଜ୍ଯସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି।
ସଂସଦରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ। ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ। ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।