LatestNewsSports

କ୍ରୀଡ଼ା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟାଇଲା ବିଜେପି ସରକାର

ଭୁବନେଶ୍ବର (ସଂକେତ ଟିଭି): ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଏହାର ନାମ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ । ଏହି ସମ୍ମାନ ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ । କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ସରକାରଙ୍କ ଏହି ପଦକ୍ଷେପକୁ ବିଜେଡି କଡା ଭାଷାରେ ସମାଲୋଚନା କରିଛି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କାକୁଡି ଓ ଛୁରୀ ଉଭୟ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କଟିବେ । ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ ଅନୁରୋଧ, ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ । ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁଷ୍ଠାନ । ବିଜୁ ବାବୁ ତିନୋଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ । ବିଜୁ ବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ମୋହନ ସରକାର କେଉଁ ଯଶ ବାନା ଉଡାଇବେ । ଏପରି ରାଜନୀତି କରିବା ଠିକ ନୁହେଁ ।

ସେହିପରି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ଏହା ଏକ କୁତ୍ସିତ ମାନସିକତା । ବିଜୁ ପଟ୍ଟନାୟକଙ୍କ ଭଳି ନେତା କେବଳ ବିଜେଡିର ନୁହଁନ୍ତି । ବିଜେଡି କେବଳ ତାଙ୍କ ନାଁରେ ପ୍ରତିଷ୍ଠା ହୋଇଛି । ପ୍ରତ୍ୟେକ ଓଡ଼ିଶାବାସୀଙ୍କ ହୃଦୟର ନେତା ବିଜୁ ବାବୁ । ଦଳ, ମତ, ବର୍ଣ୍ଣ ନିର୍ବିଶେଷରେ ସେ ଜଣେ ଜନନେତା । ସେ ଜଣେ ବିରଳ ନେତା ।