ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟି ସମେତ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ମଣ୍ଡଳସ୍ତରୀୟ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ପରବର୍ତ୍ତୀ ଜିଲ୍ଲାସ୍ତରୀୟ କମିଟି ଗଠନ ହେବାଯାଏଁ ବର୍ତ୍ତମାନର ଜିଲ୍ଲା ସଭାପତିମାନଙ୍କୁ କାମଚଳା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।
ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଦଳରେ ଅସନ୍ତୋଷ ଲାଗି ରହିଥିଲା । ଏହାରି ଉପରେ ଏଆଇସିସି ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା କଂଗ୍ରେସର ଖୁବଶୀଘ୍ର ନବକଳେବର ହେବ । ନୂଆ ପିସିସି ସମେତ ତୃଣମୂଳସ୍ତରରୁ ନୂଆ କମିଟି ଗଠନ କରାଯିବ । ତେବେ ଜଣେ ବିଧାୟକଙ୍କୁ ନୂଆ ପିସିସି ସଭାପତି ଭାବେ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଭଳି ଟାଣୁଆ ନେତା ପିସିସି ସଭାପତି ରେସ୍ରେ ଆଗରେ ଥିବା କୁହାଯାଉଛି । ଅନ୍ୟପଟେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ମଧ୍ୟ ପିସିସି ସଭାପତି ପାଇଁ ବିଚାରକୁ ନିଆଯାଇପାରେ ।