ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମରେ କୌଣସି ପରିବର୍ତ୍ତନ ହେବନି । ଏହା ପୂର୍ବ ପରି ଜାରି ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ ଜି ଗଣମାଧ୍ୟମରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ସମ୍ପର୍କରେ ଜାଣିବାକୁ ପାଇଲି । ସେ ସମ୍ପର୍କରେ ସରକାରୀ ସ୍ତରରେ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇନି ଏବଂ ମୋ ପାଖରେ ମଧ୍ୟ ସେ ସମ୍ପର୍କରେ କୌଣସି ସୂଚନା ମଧ୍ୟ ନାହିଁ । ମୋ ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଦିଅନ୍ତି । ବିଜୁବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ ଛାଡି ଯାଇଥିବା ଅବଦାନ ଓଡିଶା ଓ ସମଗ୍ର ଭାରତ ପାଇଁ ସ୍ମରଣୀୟ ହୋଇକି ରହିବ । ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ପୂର୍ବ ପରି ଜାରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।
ସେହିପରି କ୍ରୀଡମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,‘‘ବିଜୁ ପଟ୍ଟନାୟକଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ଏହି ପ୍ରସଙ୍ଗରେ ଯେଉଁ ଚର୍ଚ୍ଚା ହେଉଥିଲା, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । କ୍ରୀଡା ସମ୍ମାନର ନାମ ପରିବର୍ତ୍ତନ ହେବାର କୌଣସି ଆବଶ୍ୟକତା ନଥିବା କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ସେ ସମ୍ପର୍କରେ ମୁଁ ଅଧିକ କିଛି କହିବାର ଆବଶ୍ୟକତା ନାହିଁ ।’
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଏଣିକି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ନାମରେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍ଲାଇନ୍ ମଧ୍ୟ ଜାରି କରାଯାଇଥିଲା।
ସେପଟେ ବିଜେଡି ଏହାକୁ କଡା ସମାଲୋଚନା କରିଛି । ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି ଭାବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ଏହା ତାଙ୍କର ଅପରିପକ୍ୱତା ଓ ଅସହିଷ୍ଣୁତାର ପରିଚୟ ଦେଇଛି ।
ସେ କହିଛନ୍ତି ଯେ, ବିଜେପି ସରକାର ବୋଧହୁଏ ଓଡିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ଖ୍ୟାତିକୁ ହଟାଇବାକୁ ଲାଗିପଡିଛନ୍ତି। ଏହା ଓଡିଆ ଜାତି ପାଇଁ ଦୁର୍ଭାଗ୍ୟର କଥା। ବିଜୁ ବାବୁଙ୍କ ନାଁ ହଟେଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ସାଢେ ୪ କୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି। ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜୁ ବାବୁ ଓଡିଆ ଜାତିର ଅସ୍ମିତାର ପରିଚୟ କି ନୁହେଁ।
ଯେଉଁଭଳି ଭାବେ କ୍ରୀଡା ପୁରସ୍କାରରୁ ତାଙ୍କ ନାଁ ହଟାଇଲେ । ସେଥିରୁ ଜଣାପଡୁଛି ଓଡିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ଠିକ୍ ଭାବେ ବୁଝିନି ରାଜ୍ୟ ସରକାର। ନାଁ ବଦଳାଇବା ପାଇଁ ଗତକାଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଖୋଦ୍ କହୁଛନ୍ତି ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରେ ରହିବ। ଏଭଳି ମତ ପାର୍ଥକ୍ୟରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି। ଏଭଳି ଅପରିପକତ୍ୱା ଦେଖାଇ ବିଜେପି ସରକାର ଜନତାଙ୍କ ପାଖରେ ଲୋକହସା ନହେଉ। କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଅନ୍ୟପଟେ କ୍ରୀଡାମନ୍ତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିବେ କି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ସେ ଏହି ପୁରସ୍କାର ତାଙ୍କ ପିତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯାଏ। ମୋଟ ୫ଟି ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ।