ବିଜେଡି ଭାଙ୍ଗିବାକୁ ବିଜେପି ସହିତ ଡିଲ କରିଥିଲେ ପାଣ୍ଡିଆନ, ନବୀନ କହିଲେ ମିଛ
ଭୁବନେଶ୍ବର (ସଂକେତ ଟିଭି): ‘ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ ଭି.କେ. ପାଣ୍ଡିଆନ।’’। ଇଂରାଜୀ ଖବରକାଗଜରେ ଏକ ରିପୋର୍ଟରେ ଏଭଳି କିଛି ଖବର ପ୍ରକାଶକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି।
ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା ।
ଏନେଇ ନବୀନ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ନବୀନ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ, ଉଦେଶ୍ୟ ପ୍ରଣୋଦିତ ଏବଂ ମାନହାନି କଲାଭଳି ଖବର। ପାଣ୍ଡିଆନ ନିଜର ଦକ୍ଷତା, ନିଷ୍ଠା, ସମର୍ପଣ ଭାବନା ନେଇ ଉଭୟ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି। ଏହି ସେବା ମନୋବୃତ୍ତି ପାଇଁ ପାଣ୍ଡିଆନ ଜଣାଶୁଣା ବୋଲି ନବୀନ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବା ବେଳେ ସାମ୍ନାକୁ ଆସି ନବୀନ କ୍ଲିନଚିଟ୍ ଦେଇଥିଲେ ।