ବଜେଟ ୨୦୨୪-୨୦୨୫: ଜାଣନ୍ତୁ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା
ନୂଆଦିଲ୍ଲୀ (ସଂକେତ ଟିଭି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ବିଭିନ୍ନ ସାମଗ୍ରୀ ଉପରେ ଟିକସ ଛାଡ କରାଯାଇଥିବା ବେଳେ ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଛି ।
ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇଛି, ଯାହାଦ୍ବାରା ଏହା ଶସ୍ତା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪ପ୍ରତିଶତକୁ ହ୍ରାସ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଏବଂ ପ୍ଲାଟିନମର ମୂଲ୍ୟ ହ୍ରାସ ପାଇବ।
ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସୀମା ଶୁଳ୍କ ୧୫ପ୍ରତିଶତ ହ୍ରାସ କରାଯାଇଛି। ଏହି କାରଣରୁ, ବର୍ତ୍ତମାନ ମୋବାଇଲ୍ ଫୋନ୍ ପୂର୍ବ ଅପେକ୍ଷା ଶାସ୍ତା ହେବ। ଏହା ବ୍ୟତୀତ ଯେଉଁସବୁ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି ସେଗୁଡ଼ିକ ହେଲା, ୩ଟି କର୍କଟ ଔଷଧ, ଏକ୍ସରେ ଟ୍ୟୁବ୍, ଫ୍ଲାଟ ପ୍ୟାନେଲ ଡିଟେକ୍ଟର, ୨୫ଟି କ୍ରିଟିକାଲ ମିନେରାଲ, ସୋଲାର ସେଲ ଓ ପ୍ୟାନେଲ, ସାମୁଦ୍ରିକ ଚିଙ୍ଗୁଡ଼ି ଓ ମାଛ, ଚମଡା ଓ ବୟନ ଶିଳ୍ପ ଉତ୍ପାଦ, ଫେରୋ ନିକେଲ, ବ୍ଲିଷ୍ଟର କପର, ଇଲେକ୍ଟ୍ରୋନିକ ସାମଗ୍ରୀ, ସାର, ଟେଲିକମ ଉପକରଣ, କ୍ରୁଜ୍ ଯାତ୍ରା ଇତ୍ୟାଦି।
ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟରେ ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବଢିବା ନେଇ ଘୋଷଣା କରିଛନ୍ତି । ଆମୋନିୟମ ନାଇଟ୍ରେଟ ଉପରେ ସୀମା ଶୁଳ୍କ ଦଶ ପ୍ରତିଶତ ବୃଦ୍ଧି ହେବ । ଟେଲିକମ ଯନ୍ତ୍ରପାତିରେ ସୀମା ଶୁଳ୍କ ପନ୍ଦର ପ୍ରତିଶତ ବୃଦ୍ଧି ହୋଇଛି ।