GeneralLatestNews

ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ମମତା ଦିଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବା ନେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆଳୁ ଯୋଗାଇଣ ସ୍ୱାଭାବିକ ପାଇଁ ଅନୁରୋଧ କରିଛନ୍ତି।

ନବୀନ ମମତାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଆଳୁ ଦର ବଢିଥିବା ବେଳେ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଆପଣଙ୍କ ସରକାର ଆଳୁ ଟ୍ରକ୍‌ ଗୁଡିକୁ ରାଜ୍ୟରେ ଓଡ଼ିଶାରେ ପ୍ରବେଶ କରିବାକୁ ଦେଉନାହାନ୍ତି ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ଆଳୁ ଏକ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଏହାର ଅଭାବରୁ କୃତ୍ରିମ ଦର ବଢ଼ିଛି। ଏଣୁ ଆପଣ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କଲେ ଓଡ଼ିଶାବାସୀ ଉପକୃତ ହେବେ। ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଆମ ରାଜ୍ୟକୁ ଉପକୃତ କରିଛି, ଏଣୁ ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ କହିଛନ୍ତି।

ନବୀନ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସାମଞ୍ଜସ୍ୟ ରହିଛି । ଉଭୟ ରାଜ୍ୟର ଲୋକେ ଜଗନ୍ନାଥଙ୍କ ଭକ୍ତ। ଏଣୁ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କରିବାକୁ ମମତାଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ସେପଟେ ଆଳୁଦର ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି। ସାରା ରାଜ୍ୟରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଖବର ଅନୁସାରେ, ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବାକୁ ଦେଉନାହାନ୍ତି । ଏପରିକି ଓଡ଼ିଶା ଆସିବାକୁ ସୀମାରେ ଅଟକି ଥିବା ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଛି । ସୋନାକଣିଆ ଚେକପୋଷ୍ଟ ନିକଟରୁ ଆଳୁ ଟ୍ରକଗୁଡିକୁ ଫେରାଇ ନେଇଥିବା ଜଣାପଡିଛି ।