FeaturedGeneralLatestPolitics

ନୀତି ଆୟୋଗ ବୈଠକ ଅଧାରୁ ଉଠିଆସିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ (ସଂକେତ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କେନ୍ଦ୍ର-ରାଜ୍ୟ ସମନ୍ବୟ ପାଇଁ ଆଜି ବସିଥିବା ‘ନୀତି ଆୟୋଗ’ ବୈଠକ ଅଧାରୁ ଉଠି ଆସିଛନ୍ତି । ତାଙ୍କୁ ବୈଠକରେ କହିବା ପାଇଁ ସୁଯୋଗ ଦିଆଗଲା ନାହିଁ । ସେ ବକ୍ତବ୍ୟ ରଖିବା ସମୟରେ ତାଙ୍କ ମାଇକ୍‌ ବନ୍ଦ କରିଦିଆଗଲା ବୋଲି ଦିଦି ଅଭିଯୋଗ କରିଛନ୍ତି ।

ବୈଠକ ତ୍ୟାଗ କରିବା ପରେ ଦିଦି କହିଛନ୍ତି, “ମୋତେ ମାତ୍ର ପାଞ୍ଚ ମିନିଟ୍ କଥା ହେବାକୁ ଅନୁମତି ଦିଆଯାଇଥିବା ବେଳେ ମୋ ପୂର୍ବରୁ ଅନ୍ୟମାନେ ୨୦ ମିନିଟ୍ ଲମ୍ୱା କଥା ହୋଇଥିଲେ। ମୁଁ ମୋର ବିରୋଧ ପ୍ରଦର୍ଶନ କରି ବାହାରକୁ ଆସିଗଲି।” ବାନାର୍ଜୀ କହିଛନ୍ତି ଯେ ‘‘ମୁଁ ପଶ୍ଚିମବଙ୍ଗକୁ ଦିଆଯାଉ ନ ଥିବା କେନ୍ଦ୍ରୀୟ ପାଣ୍ଠି ବିଷୟରେ କହୁଥିଲି, ଯେତେବେଳେ ସେମାନେ ମୋର ମାଇକ୍ ମ୍ୟୁଟ୍ କରିଥିଲେ।

ଆଜି ମୋଦି ନେତୃତ୍ବାଧୀନ ତୃତୀୟ ପାଳି ସରକାରର ପ୍ରଥମ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଥରର ଅନୁଚିନ୍ତା ବା ଥିମ୍‌ ରଖାଯାଇଛି ‘ବିକଶିତ-ଭାରତ@2024’ । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଥିବା ବେଳେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ମୁଖ୍ୟତଃ କେନ୍ଦ୍ର-ରାଜ୍ୟ ସମନ୍ବୟ, ଯୋଜନା ଓ ଅର୍ଥ ଆବଣ୍ଟନର ସବୁଠୁ ବଡ ଫେଡେରାଲ ପ୍ଲାଟଫର୍ମ ହୋଇଥିବାରୁ ସମସ୍ତ ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରନ୍ତି । ହେଲେ ଚଳିତ ବୈଠକରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର କୌଣସି ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିନାହାନ୍ତି । ସାମୂହିକ ଭାବେ ବିରୋଧୀ ମେଣ୍ଟ ଏହି ବୈଠକରୁ ଦୂରେଇ ରହିଛନ୍ତି । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଅଂଶଗ୍ରହଣ କରିନାହାନ୍ତି । ନୀତିଶଙ୍କ ଅନୁପସ୍ଥିତି ସମ୍ପର୍କରେ କୌଣସି ସୂଚନା ତାଙ୍କ ଦଳ କିମ୍ବା ବିଜେପି ପକ୍ଷରୁ ପ୍ରଦାନ କରାଯାଇନାହିଁ ।