FeaturedLatestNews

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଛଅ ପ୍ରଶାସନିକ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଜି ଛଅ ଜଣ ପ୍ରଶାସନିକ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳ, ଅରିନ୍ଦମ ଡାକୁଆ, ଅନୁପମ ଶାହ, ଓଏଏସି ଅଫିସର ପ୍ରସନ୍ନ କୁମାର ଷଡଙ୍ଗୀ ଓ ଚିତ୍ରସେନ୍ ରାଉତ୍ ଏବଂ ଓଏଫଏସ୍ ଅଫିସର ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟାଯାଇଛି ।

ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବା ବେଳେ ଆଇଏଏସ୍ ଅଫିସର ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ଆଇଏଏସ୍ ଅନୁପମ ଶାହଙ୍କୁ ରାଜସ୍ୱ, ସୂଚନା ଓ ଲୋକସଂପର୍କ, ଗଣ ଓ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ମିଳିଛି ।

ଓଏଏସ ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀଙ୍କୁ ଗୃହ, ଗ୍ରାମ୍ୟ ଉନ୍ନୟନ, ଅବକାରୀ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ଓଏଏସ ଅଧିକାରୀ ଚିତ୍ରସେନ ରାଉତଙ୍କୁ କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ମିଳିଥିବା ବେଳେ ଓଏଫଏସ୍ ଅଧିକାରୀ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱ ବଣ୍ଟନ ହୋଇଛି ।