ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର : ନବୀନ ପଟ୍ଟନାୟକ
ଭୁବନେଶ୍ୱର (ସଂକେତ ଟିଭି): ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର । ଏହା କହି ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି, ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ନୂଆ ସରକାର ଆପଣେଇଛନ୍ତି। ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଅଛନ୍ତି। ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ ୧୦ ହଜାର କୋଟି ଆଗତ କରାଯାଇଛି। କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକିଙ୍କ କଣ ହେବ ବୋଲି ନୀବନ ପ୍ରଶ୍ନ କରିଛନ୍ତି।
୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ ରୁ ୮୦ ବର୍ଷ ଲୋକଙ୍କର କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଲେ। ବଜେଟରେ ୩୦% ମଧ୍ୟ ଚାଷୀ ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ ଅପେକ୍ଷାରେ ଅଛନ୍ତି । ଓଡ଼ିଶାର ୩ ଲକ୍ଷ ଘର ପାଇବେ। ୧ କୋଟି ଘର ଓଡ଼ିଶାରେ ଅଛି। ଏହା କଣ ମାଗଣା ବିଜୁଳି ପ୍ରତିଶୃତି ? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ବି ମାଗଣା ଦେଇ ପାରିବ ନାହିଁ। ଲୋକେ ଜୁଲାଇରୁ ମାଗଣା ବିଲ ଅପେକ୍ଷାରେ ଅଛନ୍ତି। ଆପଣ ଲୋକଙ୍କୁ ଠକିଛନ୍ତି ବୋଲି ନବୀନ କହିଛନ୍ତି।
୨୫ ଲକ୍ଷ ଲକ୍ଷପତି ଦିଦିଙ୍କ କଥା କହିଥିଲା ବିଜେପି। ଏଥିପାଇଁ ୨୦ ହଜାର କୋଟି ବଜେଟ ଦରକାର। ଏହା ହୋଇ ପାରିବ ନାହିଁ। ଆପଣଙ୍କ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ ବୋଲି ନବୀନ କହିଛନ୍ତି।
ଏହାପୂର୍ବରୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସକୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ।