FeaturedLatestNewsPolitics

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): ଆଜି ବିଧାନସଭା ଶୂନ୍ୟକାଳରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଥିଲେ। ହେଲେ ଏହାକୁ ଗୃହରେ ପ୍ରକାଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଘୋଷଣା କରିଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଏହା ଦୁର୍ଭାଗ୍ୟଜନକ କଥା। ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣାକୁ ଗୃହ ଭିତରେ ସଂସଦୀୟ ମନ୍ତ୍ରୀ ଦୁଇ ଦିନ ପରେ ଘୋଷଣା କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗୃହରେ କାହିଁକି ଘୋଷଣା କଲେ ନାହିଁ ? ଗୃହକୁ ବିଶ୍ୱାସକୁ ନେଲେ ନାହିଁ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଗୃହର ମର୍ଯ୍ୟାଦା ଭଙ୍ଗ କରିଛନ୍ତି । ଏହା ବିଧାନସଭା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ । ତେଣୁ ସ୍ୱାଧିକାରକୁ ଗ୍ରହଣ କରିବାକୁ ତାରା ବାହିନୀପତି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।

କେବଳ କଂଗ୍ରେସ ନୁହେଁ ବିରୋଧୀ ଦଳ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ହଟ୍ଟଗୋଳ କରିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଗୃହ ଚାଲିଥିବା ସମୟରେ ଯାହା ସରକାର ଘୋଷଣା କରନ୍ତି, ତାହା ଗୃହରେ ହୁଏ। ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ୱାସକୁ ନ ନେଇ ଘୋଷଣା କରିଛନ୍ତି। କଣ ପାଇଁ ଗୃହକୁ ବିଶ୍ୱାସ ନନେଇ କାହିଁକି ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା କଲେ। ଏନେଇ ମୁଖ୍ୟମନ୍ତ୍ରୀ ଗୃହକୁ ଆସି କ୍ଷମା ମାଗନ୍ତୁ।

ସେପଟେ ବିଜେପି ମଧ୍ୟ କଂଗ୍ରେସ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛି। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ ସେ କଂଗ୍ରେସ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଦେଇଛନ୍ତି। ନିୟମ ଅନୁସାରେ ବିନା ବାଚସ୍ପତିଙ୍କୁ ଅନୁମତିରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବା ପୂର୍ବରୁ ଗଣମାଧ୍ୟମକୁ ଯାଇ ପାରିବ ନାହିଁ। ହେଲେ କଂଗ୍ରେସ ଗତକାଲି କିପରି ଏହା କରିଲା। ଏହା ଗୃହର ମର୍ଯ୍ୟାଦାକ୍ଷୁର୍ଣ୍ଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ବିରୋଧିଙ୍କ ହଟ୍ଟଗୋଳ ପରେ ବାଚସ୍ପତି ସ୍ବାଧୀକାର ଭଙ୍ଗ ନୋଟିସକୁ ଗ୍ରହଣ କରିଛନ୍ତି। ସମସ୍ତ ସ୍ବାଧୀକାର ଭଙ୍ଗ ନୋଟିସକୁ ତର୍ଜମା କରିବେ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଏହାପରେ ମଧ୍ୟ ବିରୋଧୀ ବିଜେଡି ଓ କଂଗ୍ରେସ ଗ୍ରୁହ ମଧ୍ୟ ଭାଗରେ ଦାବି ଦୋହରାଇବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭାଙ୍ଗ ପ୍ରିଭିଲେଜ କମିଟିକୁ ପଠାଇବା ପାଇଁ ଦାବି କରିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ୫ ବର୍ଷ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଆଗତ କରିବା ନିହାତି ଜରୁରୀ ।