CrimeFeaturedLatestNews

ଅବକାରୀ ଯୁଗ୍ମ କମିସନରଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସେ ଅମାପ ସମ୍ପତ୍ତି ଠୁଳ କରିଥିଲେ । ଭିଜିଲାନ୍ସ ତାଙ୍କର ୧୦ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୫୨ଟି ପ୍ଲଟ୍‌, ୬ଟି ବହୁତଳ କୋଠା, ୨ଟି ନାମୀଦାମୀ ଫ୍ଲାଟ୍‌, ଗୋଟିଏ ଡୁପ୍ଲେକ୍ସ, ବ୍ୟାଙ୍କରେ ୨୨ଲକ୍ଷର ଜମାରାଶି, ଗୋଟିଏ ଧାନ ମିଲ ଆଦି ଠାବ ହୋଇଛି ।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଶ୍ରୀ ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ବଲାଙ୍ଗୀର ଠିକାଦାରପଡ଼ାରେ ଥିବା ଗୋଟିଏ ତାଲା ବିଲ୍ଡିଂ, ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ୩ତାଲା ବିଲ୍ଡିଂ, ବରଗଡ଼ରେ ଥିବା ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଅଧିକାରୀମାନେ ଚଢ଼ଉ କରିଥିଲେ। ସେହିପରି ସମ୍ବଲପୁର ଜିଲ୍ଲା ବୁର୍ଲାରେ ଥିବା ଗୋଟିଏ ଦୁଇ ତାଲା କୋଠା, ସୁବର୍ଣ୍ଣପୂର ଜିଲ୍ଲା ତରଭାରେ ଥିବା ତାଙ୍କର ପୈତୃକ ବାସଭବନ, କନ୍ଦରାପିତାରେ ଥିବା ସମ୍ପର୍କୀୟ ଘର, ସୁବର୍ଣ୍ଣପୁର ଜିଲ୍ଲା, ତରଭାରେ ଥିବା ଗୋଟିଏ ଚାଉଳ ମିଲ୍‌‌, ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ଖଣ୍ଡଗିରି, ଧର୍ମବିହାରରେ ଥିବା ଭଡ଼ା ଘର ଏବଂ ରୁପାଲି ଛକରେ ଥିବା ପିକଲ୍‌‌ ଅଫିସ୍‌‌ରେ ବି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୧୦ଜଣ ଡିଏସ୍‌‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

ଚଢ଼ଉ ପରେ ତାଙ୍କର ୧୦କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ଆକଳନ କରିଛି। ଭୁବନେଶ୍ୱର ଆଇଗିଣିଆରେ ଥିବା ଗୋଟିଏ ଡୁପ୍ଲେକ୍ସ ରହିଥିବା ବେଳେ ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଥିବା ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ବରଗଡ଼, ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ, ବଲାଙ୍ଗୀର ଠିକାଦାରପଡ଼ାରେ ଗୋଟିଏ ତାଲା ବିଲ୍ଡିଂ, ବଲାଙ୍ଗୀର ଠିକାଦାରପଡ଼ାରେ ଆଉ ଗୋଟିଏ ୩ତାଲା ବିଲ୍ଡିଂ, ଠିକାଦାରପଡ଼ାରେ ଆଉ ଗୋଟିଏ ବିଲ୍ଡିଂ, ସମ୍ବଲପୁର ବୁର୍ଲାରେ ଗୋଟିଏ ଦୁଇ ତାଲା ବିଲ୍ଡିଂ, ସୁବର୍ଣ୍ଣପୁରରେ ଗୋଟିଏ ତାଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ରାଇସ୍‌‌ ମିଲ୍‌‌, ସୁବର୍ଣ୍ଣପୁରରେ ଆଉ ଗୋଟିଏ ଫାର୍ମ ହାଉସ୍‌‌ ରହିଛି। ସେହିପରି ବାବୁଙ୍କର ୫୨ଟି ପ୍ଳଟ୍‌‌ ଠାବ କରାଯାଇଛି। ସମ୍ବଲପୁରରେ ୨ଟି ପ୍ଳଟ୍‌‌ ଥିବା ବେଳେ ବଲାଙ୍ଗୀରେ ୩ଟି ପ୍ଲଟ୍‌‌, ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍‌‌ ରହିଛି। ଏହି ସବୁ ପ୍ଲଟ୍‌‌ର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି। ତାଙ୍କର ବ୍ୟାଙ୍କ୍‌‌ ଜମା ୨୨ଲକ୍ଷ ଥିବା ବେଳେ ୨୩୦ ଗ୍ରାମର ସୁନା ଏବଂ ୩୧୭ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି। ନଗଦ ଟଙ୍କା, ୩ଟି ବାଇକ୍‌‌ ଏବଂ ଘରର ଆସବାବପତ୍ର ମିଶି ୧୧.୨୫ ଲକ୍ଷ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି।