FeaturedGeneralLatest

କେରଳରେ ଭୟଙ୍କର ଭୂସ୍ଖଳନ, ୧୦୬ ମୃତ, ମାଟି ତଳେ ଫସିଛନ୍ତି ଶତାଧିକ

ନୂଆଦିଲ୍ଲୀ (ସଂକେତ ଟିଭି): କେରଳର ୱାୟନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟି ୧୦୬ ଲୋକଙ୍କ ମୃତ୍ୟୁ ଘଟିଛି । ୧୦୦ ରୁ ଅଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ମେପ୍ପାଡି ନିକଟରେ ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା।

ଏବେ ବି ଶତାଧିକ ଲୋକ ମାଟି ତଳେ ଚାପି ହୋଇରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ଏହା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି । ପ୍ରପୀତିତ ଲୋକଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଲେଖିଛନ୍ତି ଯେ ୱାୟନାଡର କିଛି ଅଞ୍ଚଳରେ ଭୂସ୍ଖଳନ ଖବର ତାଙ୍କୁ ବ୍ୟଥିତ କରିଛି। ମୋର ସମ୍ବେଦନ ସେହିମାନଙ୍କ ସହିତ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇ ସେଠାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଛନ୍ତି। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା କାଲି ଓ୍ବାୟନାଡ ଯିବାର କାର୍ଯ୍ୟକ୍ରମ ରହିଛି ।