ୱାୟନାଡର ଭୂସ୍ଖଳନ ସ୍ଥଳରେ ପହଞ୍ଚି ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ଓ୍ବାୟନାଡ(ସଂକେତ ଟିଭି): ୱାୟନାଡର ଭୟଙ୍କର ଭୂସ୍ଖଳନରେ ୨୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦୦ ଜଣ ଆହତ ହୋଇଛନ୍ତି। ଏହି ଅଘଟଣର ଦିନକ ପରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ୱାୟନାଡରେ ପହଞ୍ଚିଛନ୍ତି। ରାହୁଲ ଭୂସ୍ଖଳନ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପୀଡିତଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଭୂସ୍ଖଳନ ସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ରାହୁଲ ଭାବବିହ୍ବଳ ହୋଇ କହିଛନ୍ତି, ୧୯୯୧ରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ସେ ସମାନ ଦୁଃଖ ଅନୁଭବ କରିଥିଲେ। ୱାୟନାଡ, କେରଳ ଓ ଦେଶ ପାଇଁ ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ଆମେ ଏଠାକୁ ସ୍ଥିତି ଦେଖିବାକୁ ଆସିଛୁ। କେତେ ଲୋକ ନିଜ ପରିବାର ସଦସ୍ୟ ଓ ଘର ହରାଇଛନ୍ତି ତାହା ଦେଖିବା ଦୁଃଖଦାୟକ। ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ ଏବଂ ସୁନିଶ୍ଚିତ କରିବୁ ଯେ ପ୍ରଭାବିତ ପୀଡିତମାନେ ସେମାନଙ୍କର ପ୍ରାପ୍ୟ ପାଇବେ । “ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି। ଏଠାରେ ବହୁତ କିଛି କରିବାର ଅଛି । ମୁଁ ଡାକ୍ତର, ନର୍ସ, ପ୍ରଶାସନ ଏବଂ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।
ସେପଟେ ୱାୟନାଡରେ ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୁଇ ଦିନ ବିତିଥିଲେ ହେଁ ଏ ଯାଏଁ ମୃତଦେହ ଉଦ୍ଧାର ସରୁନି । ମାଟି ତଳୁ ନିସ୍ତେଜ ଶରୀର ଗୁଡିକୁ ବୋହି ଚାଲିଛନ୍ତି ଉଦ୍ଧାରକାରୀ ଦଳ । ନୌସେନା, ସ୍ଥଳସେନା, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବାହିନୀ ମିଳିତ ଭାବେ ରେସ୍କ୍ୟୁ ଅପରେସନରେ ନିୟୋଜିତ ଅଛନ୍ତି ।