FeaturedLatestNews

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଠାବ ହେଲା ୮୫ଟି ପ୍ଲଟ

ବାଲେଶ୍ବର (ସଂକେତ ଟିଭି): ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେରେଜ୍ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ତଥା ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ତାଙ୍କର ୮୫ଟି ପ୍ଲଟ ଠାବ ହୋଇଥିବା ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟାରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୭ ଏଏସଆଇ ସାମିଲ ଅଛନ୍ତି । ଯନ୍ତ୍ରୀଙ୍କ ବାଲେଶ୍ବର ସହର ଆଇଟିଆଇ ଛକରେ ଥିବା କାର୍ଯ୍ୟାଳୟ, ସରକାରୀ ବାସଭବନ, ବଡ଼ବଜାର ସ୍ଥିତ ପୈତୃକ ଘର, ନିର୍ମାଣାଧୀନ ଏକ ମହଲା କୋଠା, ମାର୍କେଟ କମ୍ଲେକ୍ସ, ବାଲିଆପାଳ ମସିହାମୁଣ୍ଡାଠାରେ ସ୍ଥିତି ତାଙ୍କର ଶ୍ବଶୁର ଘର, ଜଳେଶ୍ବରର ସନ୍ତିଆ ଅଞ୍ଚଳରେ ତାଙ୍କର ସହଯୋଗୀଙ୍କ ଘରେ ଏକକାଳୀନ ଚଢାଉ ହୋଇଛି ।

ଚଢାଉ ସମୟରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ୧୧ ଲକ୍ଷ ୭୦ ହଜାର ନଗଦ ଓ ୩୩୪ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ସେହିପରି ତାଙ୍କର ୮୫ଟି ପ୍ଲଟ, ଜଳେଶ୍ବରରେ ଗୋଟିଏ ୫ ମହଲା କୋଠା, ଗୋଟିଏ ଫାର୍ମ ହାଉସ ଠାବ କରାଯାଇଛି । ୮୦ଟି ପ୍ଲଟ ଜଳେଶ୍ବରରେ ଥିବାବେଳେ ୪ଟି ପ୍ଲଟ ପୁରୀ ଜିଲ୍ଲାରେ ଏବଂ ଗୋଟିଏ ପ୍ଲଟ ପଶ୍ଚିମବଙ୍ଗରେ ଥିବା ଜଣାପଡିଛି । ସେହିପରି ୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ପୋଷ୍ଟାଲ ଡିପୋଜିଟ୍ ଏବଂ ବୀମା ଅର୍ଥ ଠାବ କରାଯାଇଛି ।

ପ୍ରଭାସ ୨୦୦୭ ପର୍ଯ୍ୟନ୍ତ ବାଲେଶ୍ୱର ଜଳସେଚନ ବିଭାଗର ଏସଡିଓ ଥିଲେ। ପରେ ପ୍ରମୋସନ ପାଇ ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ। ୨୦୨୦-୨୧ ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା।