ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ହକି ଟିମ୍
ପ୍ୟାରିସ (ସଂକେତ ଟିଭି): ଭାରତୀୟ ପୁରୁଷ ହକି ଟିମ୍ ପ୍ୟାରିସ ଅଲିମ୍ପିକ ହକି ଇଭେଣ୍ଟ ସେମିଫାଇନାଲରେ ପହଞ୍ଚିଛି । ପେନାଲ୍ଟି ସୁଟଆଉଟରେ ଭାରତ ଗ୍ରେଟ୍ବ୍ରିଟେନ୍କୁ ୪-୨ରେ ପରାସ୍ତ କରିଛି । ଏହା ସହିତ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି।
ଆଜି ଖେଳାଯାଉଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଚତୁର୍ଥ ତଥା ଶେଷ କ୍ୱାର୍ଟର ଶେଷ ହେବା ପରେ ଉଭୟ ଦଳର ସ୍କୋର ୧-୧ ରେ ସମାନ ଥିଲା | ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଅଗ୍ରଣୀ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏହାପରେ ପେନାଲ୍ଟି ସୁଟଆଉଟ୍ କରାଯାଇଥିଲା ଯେଉଁଥିରେ ଭାରତ ବ୍ରିଟେନକୁ ୪-୨ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭାରତ ୧୦ ଖେଳାଳିଙ୍କ ସହ ଖେଳୁଥିଲା କାରଣ ଅମିତ ରୋହିଦାସଙ୍କୁ ଦ୍ୱିତୀୟ କ୍ୱାର୍ଟରରେ ରେଡ କାର୍ଡ ଦିଆଯାଇଥିଲା ଯେଉଁଥିପାଇଁ ସେ ପୁରା ମ୍ୟାଚରୁ ବାଦ ପଡିଥିଲେ। ଏଭଳି ପରିସ୍ଥିତିରେ, ଭାରତୀୟ ହକି ଦଳକୁ କେବଳ ୧୦ ଜଣ ଖେଳାଳିଙ୍କ ସହ ପୂରା ମ୍ୟାଚ୍ ଖେଳିବାକୁ ପଡିଥିଲା। କିନ୍ତୁ ଏହା ପରେ ମଧ୍ୟ ଭାରତୀୟ ହକି ଦଳ ଭଲ ଡିଫେନ୍ସ କରିଥିଲା ଓ ଅଧିକ ଗୋଲ୍ କରିବାକୁ ଦେଇ ନଥିଲା।
ଭାରତର ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସର ଇତିହାସକୁ ପୁନରାବୃତ୍ତି କରିଛି। ୨୦୨୧ ମସିହାରେ ଭାରତ ଟୋକିଓରେ କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଭାରତ ବ୍ରିଟେନକୁ ୩-୧ରେ ପରାସ୍ତ କରିଥିଲା କିନ୍ତୁ ସେମିଫାଇନାଲରେ ବେଲଜିୟମ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ପରାସ୍ତ କରି ଭାରତୀୟ ଦଳ ୪୧ ବର୍ଷର ମରୁଡ଼ିକୁ ସମାପ୍ତ କରିଥିଲା।