ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର (ସଂକେତ ଟିଭି): ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି (ଓଡିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘର ସମେତ ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ୍ କରୁଛି ।
ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ଯ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣାଧୀନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ଅନ୍ୟାନ୍ୟ ସ୍ଥାନ, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ। ସକାଳୁ ଚାଲିଥିବା ଏହି ରେଡ଼ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ରେଡ୍ରେ ୯ ଡିଏସ୍ପି ଓ ୧୧ ଇନ୍ସପେକ୍ଟର ସାମିଲ ରହିଛନ୍ତି।
ଚଢ଼ାଉ ବେଳେ ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା,ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଥିବା ଜଣାଯାଇଛି। ସେହିପରି ପ୍ରଦୀପଙ୍କୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୨ଟି ପ୍ଲଟ୍,୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର୍, ୨ଟି ବାଇକ୍ବ୍ୟାଙ୍କ ଓ ଡାକଘରେ ୮୮ ଲକ୍ଷର ଜମା ମଧ୍ୟ ଠାବ କରିଛି ଭିଜିଲାନ୍ସ।