ଇସ୍ତଫା ଦେଇ ଦେଶ ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା
ଢାକା (ସଂକେତ୍ ଟିଭି) : ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହାସିନା। ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ଏହି ବଡ଼ ହିଂସା ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହାସିନା ଦେଶ ଛାଡିଥିବା ଜଣାପଡିଛି। ହସିନା ଅପରାହ୍ନ ୨.୩୦ଟା ସମୟରେ ସେ ବଙ୍ଗଭବନରୁ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଭଉଣୀ ଶେଖ ରିହାନାଙ୍କ ସହ ସେ ଦେଶ ଛାଡିଥିବା ନେଇ ବାଲାଂଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ସେ ସାମରିକ ହେଲିକପ୍ଟର ଯୋଗେ ଭାରତ ଅଭିମୁଖେ ଆସୁଥିବା ଚର୍ଚ୍ଚା ଦେଉଛି। ତାଙ୍କ ହେଲିକପ୍ଟର ଅଗରତାଲାରେ ଅବତରଣ କରିଛି ବୋଲି କୁହାଯାଉଛି।
ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ହଜାର ହଜାର ଲୋକ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରୀ ବାସଭବନ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଥିଲେ। ପ୍ରାୟ ୨୦ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାତ୍ରା ଘୋଷଣା କରିବା ପରେ ବାଂଲାଦେଶ ସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ଏହା ପରେ ସେ ଇସ୍ତଫା ପତ୍ର ଲେଖି ହେଲିକପ୍ଟରରେ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି।
ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ହଲ୍ଲାବୋଲ କରିଛନ୍ତି ବୋଲି ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ କରିଛି । ଏଥି ସହିତ ଦେଶର ସେନା ମୁଖ୍ୟ ୱାକର-ଉଜ-ଜମାନ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ଏବଂ ଆନ୍ଦୋଳନକାରୀମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଦେଶରେ ଯେଉଁ ପରିସ୍ଥିତି ହୋଇଛି ତାହାକୁ ଶାନ୍ତି ଆଡକୁ ଆଣିବାକୁ କହିବା ସହ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ନ୍ୟାୟ ମିଳିବ ଏବଂ ଯେଉଁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆନ୍ଦୋଳନ ଚାଲିଛି ତାହାକୁ ସଠିକ ଢଙ୍ଗରେ ବିଚାର କରାଯିବ ବୋଲି କହିଛନ୍ତି।
୧୯୭୧ରେ ବାଂଲାଦେଶ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା । ଏଥିରେ ଲଢେଇ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ଘୋଷଣା ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ଆଜି ସେ ଇସ୍ତଫା ଦେଇଛନ୍ତି।