FeaturedGeneralLatestSports

ଫାଇନାଲରେ ନୀରଜ ଚୋପ୍ରା, ସ୍ବର୍ଣ୍ଣ ପଦକ ଆସିବା ଆଶା ଉଜ୍ଜ୍ବଳ

ପ୍ୟାରିସ (ସଂକେତ ଟିଭି): ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା କ୍ୱାଲିଫାଇଙ୍ଗ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ହିଁ ୮୯.୩୪ ମିଟର ଦୂର ଯାଏଁ ଜାଭେଲିନ୍ ଥ୍ରୋ କରି ଫାଇନାଲ୍ ପାଇଁ କ୍ୱାଲିଫାଏ କରିଛନ୍ତି । ଏହା କୌଣସି ଭାରତୀୟ ଜାଭେଲିନ୍ ଥ୍ରୋଅରଙ୍କ କ୍ୱାଲିଫିକେସନ ରାଉଣ୍ଡରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ ।

ନୀରଜ ଚୋପ୍ରା ଗ୍ରୁପ୍ ବି କ୍ୱାଲିଫିକେସନରେ ପ୍ରଥମେ ଥ୍ରୋ ମାରିବା ପାଇଁ ଆସିଥିଲେ । ପ୍ରଥମ ପ୍ରୟାସରେ ହିଁ ସେ ୮୯.୩୪ ମିଟର ଥ୍ରୋ ମାରିଥିଲେ ଯାହା ୮୪ ମିଟରର ସ୍ୱତଃ କ୍ୱାଲିଫିକେସନଠାରୁ ଅଧିକ ଥିଲା । ଫାଇନାଲ୍ ମୁକାବିଲା ଅଗଷ୍ଟ ୮ରେ ଭାରତୀୟ ସମୟ ଅନୁସାରେ ରାତି ୧୧.୫୦ରେ ଖେଳାଯିବ ।ନୀରଜ ଚୋପ୍ରା ୮୯.୩୪ ମିଟର ଥ୍ରୋ ସହ ଏହି ସିଜିନର ବେଷ୍ଟ ପ୍ରଦର୍ଶନ କରିଛନ୍ତି ।

ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୮୬.୫୯ ମିଟର ଥ୍ରୋ କରିଥିଲେ। ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜଙ୍କ ପରି ଏହା ମଧ୍ୟ ଅର୍ଶଦଙ୍କର ସିଜିନର ସର୍ବୋତ୍ତମ ଥ୍ରୋ ଥିଲା । ଏହା ସହିତ ଶ୍ରେଷ୍ଠ ୧୨ ଆଥଲେଟ୍ ମଧ୍ୟ ପଦକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ଏହି ଥ୍ରୋ ସହ ନୀରଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଥ୍ରୋ ନିକଟରେ ପହଞ୍ଚିଛନ୍ତି । ନୀରଜଙ୍କ ବେଷ୍ଟ ଥ୍ରୋ ୮୯.୯୪ ମିଟର ରହିଛି । ନୀରଜଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପ୍ରଦର୍ଶନ ଦେଖି ଅନୁମାନ କରାଯାଉଛି ଯେ ଫାଇନାଲରେ ସେ ୯୦ ମିଟରର ବ୍ୟାରିୟର ମଧ୍ୟ ପାର୍ କରିବେ ।