FeaturedLatestSports

ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେଲେ ଭିନେଶ, ସାରା ଦେଶ ସ୍ତବ୍ଧ

ପ୍ୟାରିସ୍‌ (ସଂକେତ ଟିଭି): ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣା କରି ପ୍ୟାରିସ ଅଲିମ୍ପିକ୍ସରୁ ବିଦା କରିଦିଆଯାଇଛି । ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ବିନେଶ, ଆଜି ଫାଇନାଲ ଖେଳିବା ପୂର୍ବରୁ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ୫୦ କେଜିଠାରୁ ଭିନେଶ ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ରାତିରେ ସେ ସ୍ୱର୍ଣ୍ଣପଦକ ଲାଗି ଫାଇନାଲରେ ଆମେରିକରା ସାରା ହିଲଡେବ୍ରାଣ୍ଡଡଟ୍‌ଙ୍କୁ ଭେଟିବାର ଥିଲା। ଗତକାଲି ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତି ଇଭେଣ୍ଟର ସେମିଫାଇନାଲ ମୁକାବିଲାରେ ୨୯ ବର୍ଷୀୟା ବିନେଶ ୫-୦ରେ କ୍ୟୁବାର ୟୁସନେଲିସ୍‌ ଗୁଜ୍‌ମ୍ୟାନଙ୍କୁ ପରାସ୍ତ କରି ଫାଇନାଲ ଟିକଟ ହାସଲ କରିଥିଲେ। ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପାଇଁ ଭାରତର ଜଣେ ମହିଳା କୁସ୍ତିଯୋଦ୍ଧା ଫାଇନାଲରେ ପ୍ରବେଶ କରି ଐତିହାସିକ ସଫଳତା ଅର୍ଜନ କରିଥିବା ବିନେଶ ଫୋଗତ ହଠାତ ଡିସକ୍ୱାଲିଫାଏଡ୍ ହେବା ସମସ୍ତଙ୍କୁ ଚକିତ କରିଦେଇଛି।

ବିନେଶ ଫୋଗତ ପ୍ରଥମେ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲାରେ ସେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ବିଶ୍ୱ ଚାମ୍ପିଅନ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ପରାସ୍ତ କରି ଆଶ୍ଚର୍ଯ୍ୟଜନକ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୟୁଇ ପୁରା ଲଢେ଼ଇରେ ପ୍ରାଧାନ୍ୟ ବିସ୍ତାର କରି ୨-୦ରେ ଆଗୁଆ ଥିଲେ। କିନ୍ତୁ ଲଢେ଼ଇ ଶେଷ ହେବାକୁ କିଛି ସେକଣ୍ଡ ବାକିଥିଲାବେଳେ ୟୁଇଙ୍କୁ ଚିତପଟାଙ୍ଗ କରି ୩-୨ ପଏଣ୍ଟରେ ମ୍ୟାଚ୍‌ ଜିତିନେଇଥିଲେ। ଏହି ବିଜୟ ପରେ ବିନେଶ କ୍ୱାର୍ଟର ଫାଇନାଲରେ ୭-୫ରେ ୟୁକ୍ରେନର ଓକସାନା ଲିଭାକଙ୍କୁ ପରାସ୍ତ କରି ସେମିକୁ ଉଠିଥିଲେ।

ଭିନେଶ ଅଯୋଗ୍ୟା ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ପୋଷ୍ଟ କରି ଲେଖିଛନ୍ତି, ଭିନେଶ, ତୁମେ ଚମ୍ପିଆନମାନଙ୍କ ମଧ୍ୟରେ ବି ଚମ୍ପିଆନ । ତୁମେ ଭାରତର ଗର୍ବ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା । ଆଜିର ବିଫଳତା କଷ୍ଟଦାୟକ । ମୁଁ ଯେଉଁ ନିରାଶା ଅନୁଭବ କରୁଛି ତାହା ଶବ୍ଦରେ କହିପାରିବିନି । ଏଥିସହ, ମୁଁ ଜାଣେ ତୁମେ ସ୍ଥିରତାର ଉଦାହରଣ । ଆହ୍ବାନର ସମ୍ମୁଖୀନ ହେବା ସର୍ବଦା ତୁମର ସ୍ବଭାବ । ଅଧିକ ଶକ୍ତିଶାଳୀ ହୁଅ । ଆମେ ସମସ୍ତେ ତୁମ ପାଇଁ ପ୍ରାର୍ଥନା କରୁଛୁ ।