LatestNewsPolitics

ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ମାସରୁ ରାଜ୍ୟର ସବୁ ଜିଲ୍ଲା ବୁଲିବେ । ଦଳର କର୍ମୀ, ତୃଣମୂଳସ୍ତରର ନେତାଙ୍କୁ ଭେଟିବେ। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡିର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ସଦସ୍ୟମାନେ ଗୁରବାର ସନ୍ଧ୍ୟାରେ ନବୀନ ନିବାସରେ ସାକ୍ଷାତ କରିବା ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଏଭଳି ସୂଚନା ଦେଇଥିବା ଜଣାପଡିଛି ।

ନବୀନ କହିଛନ୍ତି ଯେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷ ଧରି ନିରନ୍ତର ଆଶୀର୍ବାଦ ଦେଇଛନ୍ତି। ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ରାଜ୍ୟବାସୀ ଆମକୁ ଆଉ ଏକ ନୂଆ ଦାୟିତ୍ୱ ଦେଇଛନ୍ତି, ଆମକୁ ସଶକ୍ତ ବିରୋଧୀ ମାନ୍ୟତା ପ୍ରଦାନ କରିଛନ୍ତି। ତେଣୁ ଏହି ଦାୟିତ୍ୱକୁ ସୂଚାରୁ ରୂପେ ନିର୍ବାହନ ପାଇଁ ଆମେ ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା।

ଏହି ବୈଠକରେ ଦଳର ସାଙ୍ଗଠନିକ ପୁନର୍ଗଠନ ପାଇଁ ଉପସ୍ଥିତ ନେତୃମଣ୍ଡଳୀ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ। ଏହା ସହିତ ଦଳର ଛାତ୍ର, ଯୁବ ଓ ମହିଳା ପରି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ୧ ମାସ ଧରି ପଦଯାତ୍ରା କରିବା ପାଇଁ ସମନ୍ୱୟ କମିଟି ସୁପ୍ରିମୋଙ୍କ ଅନୁମତି ଲୋଡ଼ିଛି।

ବୈଠକରେ ନବୀନ ଦଳୀୟ ନେତାଙ୍କୁ ଶାସକ ଦଳର ପ୍ରତ୍ୟେକଟି ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବାରୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିଟି ଜନବିରୋଧୀ ନୀତିର କଡ଼ା ବିରୋଧ କରିବା ପାଇଁ ନେତାମାନେ ସବୁବେଳେ ପ୍ରସ୍ତୁତ ରହିବାକୁ ନବୀନ ଉଲ୍ଲେଖ କରି ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ କହିଛନ୍ତି।

ଅପରପକ୍ଷେ ଆଗାମୀ ଦିନରେ ପଞ୍ଚାୟତ, ପୌର ନିର୍ବାଚନ ସହ ବିଭିନ୍ନ ନିର୍ବାଚନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏବେଠାରୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ବୈଠକରେ ବରିଷ୍ଠ ନେତା ଡ. ଅରୁଣ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସାରଦା ନାୟକ, ପ୍ରତାପ ଦେବ, ପ୍ରତାପ ଜେନା, ସୁଦାମ ମାର୍ଣ୍ଡି, ପ୍ରଦୀପ ଅମାତ, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।