ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବା ଆଶା ଉଜ୍ଜ୍ବଳ, ବଡ ଅପଡେଟ୍ ଦେଲା ସିଏଏସ୍
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଯୋଗ୍ୟ ଘୋଷିତ ହୋଇଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବା ଆଶା ଉଜ୍ଜଳ ହୋଇଛି । ତାଙ୍କ ମାମଲାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ’ ସିଏଏସ୍ (CAS) ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଦେଇଛି। ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶଙ୍କ ମାମଲା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି CAS ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ସୂଚନା ଦେଇଛି। ଆଜି ଏହି ପ୍ରସଙ୍ଗରେ ଶୁଣାଣି ହେବ। କିନ୍ତୁ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ପଡିପାରେ।
ସିଏଏସ୍ ତାର ୱେବସାଇଟରେ ଲେଖିଛି ଯେ ଶୁକ୍ରବାର ଏହାର ଶୁଣାଣି ହେବ ଏବଂ ଅଲିମ୍ପିକ ଗେମ୍ସ ଶେଷ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ। ଏହା ଏପରି ଏକ ବିଷୟ ଯେ ଏକ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଭିନେଶ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ପାଇଁ ଅନୁରୋଧ କରିନଥିଲେ। କିନ୍ତୁ ତଥାପି ପ୍ରକ୍ରିୟା ବହୁତ ଶୀଘ୍ର କରାଯିବ।
ଗତକାଲି ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ଯ ଘୋଷଣା କରାଯାଇଥିଲା । ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ । ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ରାତିରେ ଫାଇନାଲ ମୁକାବିଲା ଥିଲା । ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ଯ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି । ଆଜି ଜିତିଥିଲେ ଭିନେଶ ସ୍ବର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୋପ୍ଯ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି ।
ନିଶ୍ଚିତ ପଦକରୁ ବଞ୍ଚିତ ହେବା ପରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନିଜ ୨୩ ବର୍ଷର ରେସଲିଂ କ୍ୟାରିୟରରୁ ସନ୍ୟାସ ନେବା କଥା ଲେଖିଛନ୍ତି । ସେ ଭାବବିହ୍ୱଳ ହୋଇ କୁସ୍ତି ଜିତିଗଲା ମୁଁ ହାରିଗଲି ବୋଲି ଲେଖି ନିଜ ମାଙ୍କୁ କ୍ଷମା ମାଗିଛନ୍ତି । ଏବଂ ନିଜ ସ୍ୱପ୍ନ ଏବଂ ପରିଶ୍ରମ ଏପରି ଚୁରମାର୍ ହୋଇଯାଇଥିବାରୁ ସେ ଭାଙ୍ଗିପଡିଛନ୍ତି ।