୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ
ଭୁବନେଶ୍ବର (ସଂକେତ ଟିଭି): ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ । ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ । ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ୩ କିଲୋକୁ ୧୦୦ ଟଙ୍କା ଦରରେ ଗ୍ରାହକ ମାନେ ଆଳୁ ପାଇପାରିବେ । ଆଳୁ ସଙ୍କଟ ଭିତରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ପ୍ରତି ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନଙ୍କର ରାସର୍ନକାର୍ଡ ଅଛି ସେମାନେ କାର୍ଡ ଦେଖାଇ ଏହା ନେବା ବେଳେ ଅଣରାସର୍ନକାର୍ଡଧାରୀ ମଧ୍ୟ ଏହାର ଲାଭ ନେଇପାରିବେ ।
ତେବେ ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଲୋକଙ୍କୁ ୩୦ ଟଙ୍କା ଦରରେ ଆଳୁ ଦିଆଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ତିନିଶହ ମେଟ୍ରିକ ଟନ୍ ଆଳୁ ନାଫେଡ୍ ଜରିଆରେ ଅର୍ଡର କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ପ୍ରଦାନ କରାଯାଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସର୍ବସାଧାରଣ ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ବିକିବେ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ । ଯାହା ରାଜ୍ୟବାସୀଙ୍କ ଆଳୁ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।