FeaturedGeneralLatest

ଓ୍ବାୟନାଡ ଭୂସ୍ଖଳନ ସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଓ୍ବାୟନାଡର ଭୂସ୍ଖଳନ ସ୍ଥଳ ପରିଦର୍ଶନ କରିଛନ୍ତି । ଆଜି ପୂର୍ବାହ୍ନରେ କେରଳ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ । ପରେ ଏକାଧିକ ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଓ ଥଇଥାନ ଅପରେସନ ସମ୍ପର୍କରେ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ କେତେକ ଆଶ୍ରୟସ୍ଥଳୀ ଓ ହସ୍ପିଟାଲ ପରିଦର୍ଶନ କରି ସେ ପ୍ରଭାବିତଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ପୂର୍ବରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଓ୍ବାୟନାଡ ଗସ୍ତ କରିସାରିଛନ୍ତି । ଜୁଲାଇ ୩୦ ତାରିଖରେ ହୋଇଥିବା ଭୂସ୍ଖଳନରେ ୪୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ପରେ ଭୋର ସମୟରେ ଏହି ଭୂସ୍ଖଳନ ହୋଇଥିଲା । ଲୋକେ ଶୋଇଥିବା ବେଳେ ହଠାତ ପାହାଡରୁ ବଡ ବଡ ପଥର ସହ ଆବର୍ଜନା ମିଶ୍ରିତ ପାଣି କେଇ ମିଟର ଉଚ୍ଚତା ସହ ମାଡି ଆସି ଓ୍ବାୟନାଡର ଛଅଟି ଗ୍ରାମ ନିଶ୍ଚିହ୍ନ କରିଦେଇଥିଲା । ବର୍ତ୍ତମାନ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୨୫୦ ଶବର ସତ୍କାର କରାଯାଇଛି । ଗତ ଜୁଲାଇ ୩୦ ତାରିଖର ବିଭୀଷିକା ପରେ ଏନଡିଆରଏଫ, ଏସଡିଆରଏଫ, ତିନିବାହିନୀ, ଅଗ୍ନିଶମ ବାହିନୀ, ବନ ବିଭାଗ, ରାଜ୍ଯ ପୋଲିସର ମେଗା ଅପରେସନ ଜାରି ରହିଥିଲା । ବର୍ତ୍ତମାନ ବି ବିଭିନ୍ନ ରିଲିଫ ଶିବିରରେ ୧୦ ହଜାରରୁ ଅଧିକ ବିପନ୍ନ ରହିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଲାଗି ରାହୁଲଙ୍କ ସମେତ ବିଭିନ୍ନ ଦଳର ନେତା କେନ୍ଦ୍ର ନିକଟରେ ଦାବି କରିଥିଲେ । ଏବେ ରିଲିଫ କ୍ୟାମ୍ପରେ ରହୁଥିବା ପରିବାରକୁ ୧୦ହଜାର ଟଙ୍କାର ତୁରନ୍ତ ସହାୟତା ରାଶି ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି ।