BusinessFeaturedGeneralLatest

ହିଣ୍ଡେନ୍‌ବର୍ଗ’ର ନୂଆ ରିପୋର୍ଟ, ଟାର୍ଗେଟରେ ସେବି ଅଧ୍ୟକ୍ଷା

ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ପୂର୍ବଥର ଭଳି ଆଦାନୀ ଗ୍ରୁପର ନିଦ ହଜାଇଦେବା ଭଳି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ହିଣ୍ଡେନ୍‌ବର୍ଗ ଭାରତୀୟ ପୁଞ୍ଜି ବଜାର ନିୟାମକ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ବୁଚ୍‌ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରିପୋର୍ଟରେ ସେବି ଅଧ୍ୟକ୍ଷା ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଆଦାନୀ ସ୍କାମ ସହ ଜଡିତ ଅଛି। ଶନିବାର ବିଳମ୍ବିତ ରାତିରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପର ଅସ୍ପଷ୍ଟ ବିଦେଶ ଜାଲ କମ୍ପାନୀରେ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କର ଅଂଶଧନ ରହିଥିଲା। ତେଣୁ ଆଦାନୀ ମାମଲାରେ ସେବି ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଉପରେ ପୂର୍ବ ରିପୋର୍ଟର ପ୍ରକାଶର ଦୀର୍ଘ ୧୮ମାସ ପରେ ହିଣ୍ଡେନ୍‌ବର୍ଗ ଏହି ରିପୋର୍ଟ ଉନ୍ମୋଚନ କରିଛି। ହିଣ୍ଡେନବର୍ଗ ଅଭିଯୋଗ କରିଛି ଯେ, ସେବିର ବର୍ତ୍ତମାନର ଅଧ୍ୟକ୍ଷ ମାଧବୀ ବୁଚ୍ ଓ ତାଙ୍କର ସ୍ବାମୀଙ୍କ ଅଫସୋର୍ ଫଣ୍ଡରେ ଅଂଶଧର ରହିଥିଲା, ଯିଏକି ଆଦାନୀ ଗ୍ରୁପ ସ୍କାମ ସହିତ ଜଡିତ । ଅଫସୋର ବରମୁଡା ଓ ମରିସସ୍ ଫଣ୍ଡ ଗୌତମ ଆଦାନୀଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ନିୟନ୍ତ୍ରଣରେ ରହିଥିଲା, ଯାହାକି ବେଆଇନ ଭାବେ ଷ୍ଟକର ମୂଲ୍ୟ ବଢାଇବାରେ ବ୍ୟବହାର କରାଯାଇଥିଲା । 2015 ଜୁନରେ ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀ ପ୍ରଥମେ ଆଇପିଇ ପ୍ଲସ ଫଣ୍ଡ 1ରେ ସିଙ୍ଗାପୁର ଠାରେ ଆକାଉଣ୍ଟ ଖୋଲିଥିଲେ । ଏହି ଫଣ୍ଡରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ଦରମା ବୋଲି ଦର୍ଶାଯାଇଥିଲା ଏବଂ ତାଙ୍କର ନେଟ୍‌ୱର୍ଥ 10 ମିଲିୟନ ଡଲାର ଆକଳନ କରାଯାଇଥିଲା । ଏହି କାରଣରୁ ଆଦାନୀ ଗ୍ରୁପ ସ୍କାଣ୍ଡଲ ତଦନ୍ତ ପାଇଁ ସେବି ଆଗ୍ରହ ପ୍ରକାଶ କରିନଥିବା ହିଣ୍ଡେନବର୍ଗ ଅଭିଯୋଗ ଆଣିଛି ।

ହିଣ୍ଡେନବର୍ଗର ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ସେବି ମୁଖ୍ୟ ମାଧବୀ ପୁଚ୍ କହିଛନ୍ତି, ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଆମର ଆର୍ଥିକ ସ୍ଥିତି ଖୋଲା ବହି ଭଳି ବୋଲି ସେ କହିଛନ୍ତି ।

କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ରାତିରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛନ୍ତି, ଆଦାନୀ ମେଗାସ୍କାମର ଅନୁସନ୍ଧାନ କରିବାକୁ ସେବିର ଅନିଚ୍ଛା ଦୀର୍ଘ ଦିନ ଧରି ବିଶେଷ କରି ସୁପ୍ରିମକୋର୍ଟର ବିଶେଷଜ୍ଞ କମିଟି ଦ୍ୱାରା ଦେଖାଯାଇଥିଲା। ସେହି କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ ସେବି ୨୦୧୮ରେ ବିଦେଶୀ ପାଣ୍ଠିର ଲାଭଦାୟକ ମାଲିକାନା ସମ୍ବନ୍ଧୀୟ ରିପୋର୍ଟ ଆବଶ୍ୟକତାକୁ ଦୁର୍ବଳ କରିଦେଇଛି ଏବଂ ୨୦୧୯ ରେ ସେଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି।

ଜୟରାମ ରମେଶଙ୍କ ଅନୁଯାୟୀ, ହିଣ୍ଡେନବର୍ଗ ଅନୁସନ୍ଧାନର ସଦ୍ୟତମ ଅଭିଯୋଗ ଗୌତମ ଆଦାନୀଙ୍କ କ୍ରମାଗତ ୨୦୨୨ ମାଧବୀଙ୍କ ସହ ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ନୂତନ ପ୍ରଶ୍ନ ସୃଷ୍ଟି କରିଛି।

ଟିଏମସି ସାଂସଦ ମହୁଆ ମୋଇତ୍ର କହିଛନ୍ତି ଆଦାନୀଙ୍କ ଶୈଳୀରେ ସେବି ଅଧ୍ୟକ୍ଷ ମଧ୍ୟ ତାଙ୍କ ଦଳରେ ନିବେଶକ ଅଟନ୍ତି। କ୍ରୋନି ପୁଞ୍ଜିବାଦ ଶିଖରରେ ଅଛି । ଏହି ଅର୍ଥ ହେରଫେର ଅଭିଯୋଗର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଯାଞ୍ଚ କରିବାକୁ ମୋଇତ୍ର ଦାବି କରିଛି।